ଭୁବନେଶ୍ୱର: ବିଜେଡିର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ହେଉଛି ଜନ୍ମଦିବସ । ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ ହୋଇଛି । ଭାରତୀୟ ଡାକ ବିଭାଗ, ଓଡ଼ିଶା ମଣ୍ଡଳ ଦ୍ୱାରା ଭୁବନେଶ୍ୱର ମୁଖ୍ୟ ଡାକପାଳଙ୍କ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟଅତିଥି ଭାବେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ବିଜୟଶ୍ରୀଙ୍କୁ ଜଣେ ସୁପ୍ରତିଷ୍ଠିତ ଜନ ପ୍ରତିନିଧି ଓ ଡାକ ଟିକଟ ସଂଗ୍ରହକାରୀ ଭାବେ ବର୍ଣ୍ଣନା କରି ତାଙ୍କ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇଥିଲେ । ସ୍ୱତନ୍ତ୍ର ଲଫାପାକୁ ଜନସାଧାରଣଙ୍କୁ ଭେଟି ଦେଇ ଓଡ଼ିଶାର ମୁଖ୍ୟ ଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁ ଇପିଏ ସହ ତାଙ୍କର ପୁରୁଣା ସମ୍ପର୍କକୁ ଦୋହରାଇ ଥିଲେ । ତାଙ୍କ ନେତୃତ୍ୱରେ ସମ୍ପାଦିତ ବିଭିନ୍ନ ଡାକ ଟିକଟ ପ୍ରଦର୍ଶନୀକୁ ମନେ ପକେଇଥିଲେ । ଇପିଏ ସମ୍ପାଦକ ଶାନ୍ତି ସ୍ୱରୂପ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ ।