ଭୁବନେଶ୍ୱର: ରାଜ୍ୟ ପୁଲିସ ମୁଖିଆଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତ କିଛି ବର୍ଷ ଭିତରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଅପରାଜିତା ଉଲ୍ଲେଖ କରିଛନ୍ତି।

ସାଂସଦ ଚିଠିଲେ ଲେଖିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ୧୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ-ଢେଙ୍କାନାଳରୁ ସଲମାନ ରାଉତ, ମାଲକାନଗିରିରୁ ସପନ ବବଲି, ମୟୂରଭଞ୍ଜରୁ ଉତ୍ତମ ବିଶ୍ୱାଳ, ଗଜପତିରୁ ମିନତୀ ଶବର, ଭଦ୍ରକରୁ ସୁରେଶ ରାଉତ, କୋରାପୁଟରୁ କାମେଶ୍ୱର ପାଲ୍କା, ବଲାଙ୍ଗିରରୁ ରୋହିତ ପ୍ରଧାନ, ରାୟଗଡ଼ାରୁ ଅଭିଳାଶ ବାଗ, ଗଞ୍ଜାମ ବୁଗୁଡ଼ାରୁ ଶିଶିର ନାୟକ, ଗଞ୍ଜାମ ହିଞ୍ଜିଲିରୁ ବୁଲୁ ପ୍ରଧାନ, ଗଞ୍ଜାମରୁ ପୀତାମ୍ୱର ସ୍ୱାଇଁ, କେନ୍ଦ୍ରାପଡ଼ାରୁ ବଳରାମ ଜେନା, କେନ୍ଦ୍ରାପଡ଼ାରୁ ମମତାରାଣୀ ସାମଲ ଓ ଖୋର୍ଦ୍ଧାରୁ ଚିତ୍ରସେନ୍ ଜେନା।

ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲେ। ଆଉ ଏବେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି।”ସାଂସଦ ଆହୁରି ମଧ୍ୟ କହିଛନ୍ତି, ରାଜନୈତିକ ହିଂସା ଯେଉଁ ସଂଖ୍ୟାରେ ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି । ଏନସିଆରବି ରିପୋର୍ଟ ଅନୁସାରେ ୨୦୧୮ରେ ଓଡ଼ିଶାରେ ଦଣ୍ଡବିଧାନ ସଂଖ୍ୟା ନଗଣ୍ୟ। ଦୁର୍ବଳ ତଦନ୍ତ ହେଉଥିବାରୁ ସମସ୍ତ ଘଟଣାରେ ଦୋଷୀ ଖସିବାକୁ ସକ୍ଷମ ହେଉଛନ୍ତି ।”