ନୂଆଦିଲ୍ଲୀ : ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜେତା ଦୀପକ ପୁନିଆ (୮୬କିଲୋ)ଙ୍କ ସମେତ ମୋଟ ୩ଜଣ ରେସଲର୍ କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି । ଭାରତୀୟ ଖେଳ ପ୍ରଧିକରଣ (ସାଇ) ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି । ଅନ୍ୟ ଦୁଇଜଣ ରେସଲର୍ ହେଲେ ନବୀନ (୬୫କିଲୋ) ଓ କ୍ରିଷନ୍ (୧୨୫କିଲୋ) । ସଂକ୍ରମିତ ୩ଜଣ ଯାକ ରେସଲର୍ ସୋନିପତ୍ ଠାରେ ସାଇ ସେଣ୍ଟରରେ ଚାଲିଥିବା ଜାତୀୟ ଶିବିରରେ ସାମିଲ୍ ଥିଲେ ।
ସାଇ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ଶିବିରରେ ସାମିଲ ଥିବା ସମସ୍ତ ରେସଲରଙ୍କ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩ଜଣ ସିନିୟର ରେସଲର୍ଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ତେଣୁ ସାଇ ଅଧିନସ୍ଥ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଗତ ୧ ତାରିଖରେ ସମସ୍ତ ରେସଲର୍ ଶିବିରରେ ଯୋଗ ଦେବା ସହ ବାଧ୍ୟତାମୂଳକ ୧୪ ଦିନିଆ ସଙ୍ଗରୋଧରେ ରହିଥିଲେ।’ ଜୁନିୟର ବିଶ୍ୱ ଚାମ୍ପିଅନ୍ ଦୀପକ ଗତ ବିଶ୍ୱ ଚାମ୍ପିଅନସିପ୍ରେ ୮୬କିଲୋ ବର୍ଗରେ ରୌପ୍ୟ ପଦକ ଜିତି ଅଲିମ୍ପିକ୍ସ ଟିକେଟ୍ ପକ୍କା କରିଥିଲେ । ସେ ସେମିରେ ସ୍ୱିଜରଲାଣ୍ଡର ଷ୍ଟିଫାନ୍ ରିଚ୍ମୁଥ୍ଙ୍କୁ ୭-୬ରେ ହରାଇଥିଲେ । କିନ୍ତୁ ଗୋଡ଼ ଆହତ ସମସ୍ୟା କାରଣରୁ ସେ ଫାଇନାଲ୍ରୁ ଓହରିଯିବାରୁ ପ୍ରତିପକ୍ଷ ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ଇରାନ ରେସଲର ହାସାନ ୟାଜଦାନି ସ୍ୱର୍ଣ୍ଣ ପଦକ ଜିତିଥିଲେ ।