ଭଦ୍ରକ: ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି, ମହିଳା ଓ ଶିଶୁ ଆଜି ଅସୁରକ୍ଷିତ, ରାଜ୍ୟରେ ଏବେ ଶାସକ ଦଳର ଚାଲିଛି ଦମନ ଲୀଳା , ଯେଉଁଠି ରାଜ୍ୟର ପିସିସି ସଭାପତି ଉପରେ ମରଣାନ୍ତକ ଆକ୍ରମଣ ହେଉଛି ସେଠି ସାଧାରଣ ଜନତା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛି କଂଗ୍ରେସ |


ଗତକାଲି ରାତିରେ କେନ୍ଦୁଝର କାଶୀପୁର ଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ବିରୋଧ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ | ଆଜି ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଜିଲ୍ଲା କାର୍ଯ୍ୟଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା | ପରେ ସେଠାରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା |

ପିସିସି ସଭାପତିଙ୍କୁ ଆକ୍ରମଣ କରିଥିବା ଦୁର୍ବୁତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି | ଯଦି ଦୁର୍ବୁତ୍ତମାନଙ୍କୁ ତୁରନ୍ତ ଗିରଫ କରା ନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ |