ଭଦ୍ରକ: ଲଗ୍ନ ସରିଥିଲା । ନିମନ୍ତ୍ରଣ ପତ୍ର ବି ବଂଟା ହୋଇଥିଲା । ଆଜି ବାହା ବେଦୀରେ ବସିଥାନ୍ତା ବର । ଦାଣ୍ଡ ଦୁଆରେ ଯୋଡି ନାଗରା ଆଉ ଶୁଭବିବାହର ଚିତ୍ର ବି ଅଙ୍କା ହୋଇଥିଲା । ହେଲେ ନିମିଶକେ ସବୁ କିଛି ଛାରଖାର କରିଦେଲା କରୋନା । ବାହୁନି କାନ୍ଦୁଛି ମା , ଛାତିର କୋହକୁ ଚାପି ପାରୁନି ବାପା । ସମସ୍ତେ ଅବାକ ସବୁଠି ନୀରବତାର କଳାବାଦଲ ଢାଙ୍କି ହୋଇଛି । ୨୮ ବର୍ଷର ପୁଅକୁ କରୋନାରେ ହରାଇ ଭାଙ୍ଗି ପଡିଛି ପୁରା ପରିବାର । କରୋନା କୋହର ଏ କାହାଣୀ ଭଦ୍ରକ ଜିଲ୍ଲା ଅସୁରାଳୀନାଥ ସାହିର । ପ୍ରାଣବନ୍ଧୁ ନାଥଙ୍କ ପୁଅ ଚନ୍ଦ୍ରମଣିଙ୍କର ଆଜି ଥିଲା ବାହାଘର । ଏ ହଳଦୀ ଲଗା ଗୁଆ ,ଏ ନୀରବ ହାଣ୍ଡି, ଆଉ ଏ ବିବାହ ସାମଗ୍ରୀ ସବୁ କିଛି ଆସି ସାରିଥିଲା ଚନ୍ଦ୍ରମଣୀଙ୍କ ବାହାଘର ପାଇଁ । କିନ୍ତୁ କରୋନା ସବୁ କିଛି ନଷ୍ଟ କରିଦେଲା । ଦାଣ୍ଡ ଦୁଆରୁ ସବାରୀ ବଦଳରେ ଉଠିଲା ପୁଅର କୋକେଇ । ବାହାହେଦୀ ବଦଳରେ ମଶାଣୀ ଗଲା ବର । ହୁମନିଆଁ ବଦଳରେ ଜଳିଲା ଜୁଇ । ଦୁଃଖର ପାହାଡ ଯେମିତି ଛିଡି ପଡିଛି ଏ ପରିବାର ଉପରେ ।
ଗଲା ୧୧ ତାରିଖରେ ଚନ୍ଦ୍ରମଣୀଙ୍କ ବିବାହ ପାଇଁ ଲଗ୍ନ ସ୍ଥିିର ହୋଇଥିଲା । ହସ ଖୁସିର କୋଳାହଳ ଭିତରେ କିନ୍ତୁ ବିବାହର ୩ ଦିନ ପୂବରୁ କୋଭିଡ୍ ଜ୍ୱରରେ ଆକ୍ରାନ୍ତ ହେଲେ ଚନ୍ଦ୍ରମଣି । ସେଥିପାଇଁ ଆଜିକୁ ଘୁଚାଂଇ ଦିଆଯାଇଥିଲା ବାହାଘର ହେଲେ ଦାଉ ସାଧିଲା ଦଇବ । ବିବାହ ପାଇଁ ଦୁଇ ପରିବାର ପ୍ରସ୍ତୁତ ହୋଉଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ଚନ୍ଦ୍ରମଣିଙ୍କର ହଠାତ ଅକ୍ସିଜେନ ସ୍ତର କମିଯାଇଥିଲା । ପୁଅକୁ ମେଡିକାଲ ନେବାପାଇଁ ପରିବାର ପ୍ରସ୍ତୁତ ହେଉଥିବା ବେଳେ ଆଖି ବୁଜିଦେଲେ ଚନ୍ଦ୍ରମଣି । କରୋନାରେ ଜୀବନ ଯାଇଥିବାରୁ ସହି ପଡିଶା ପାଖ ମାଡିଲେନି । ଶେଷରେ ସ୍ଥାନୀୟ ସରପଚଂ, ବ୍ଲକ ପ୍ରଶାସନ ଏବଂ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସତ୍କାର ହୋଇଥିଲା । ବଡପୁଅର ବିବାହରେ ଖୁସିରେ ଫାଟି ଉଠିଥାନ୍ତା ନାଥ ପରିବାର ହେଲେ ବିଡମ୍ବନା ବଡ ଭାଇର ମୃତ୍ୟୁରେ ମା ଆଖିରୁ ସାନ ପୁଅକୁ ଫୋଛିବାକୁ ପଡୁଛି ଲୁହ ।