ନୂଆଦିଲ୍ଲୀ : ଦେଶ କରୋନାର ଦ୍ବିତୀୟ ଲହର ସହ ଲଢ଼ୁଥିବା ବେଳେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏଥିରେ ସହଯୋଗର ହାତ ବଢ଼ାଇଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ୍ର ଘୋର ଅଭାବ ଦେଖା ଦେଇଛି । ଏହି ଅସମୟରେ ବିସିସିଆଇ ୧୦ ଲିଟରିଆ ୨୦୦୦ ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍ସ ପ୍ରଦାନ କରିବାକୁ ଘୋଷଣା କରିଛି । ‘‘ଦେଶ ଏବେ ଅଦୃଶ୍ୟ କରୋନା ଭୂତାଣୁର ଦ୍ବିତୀୟ ଲହର ସହ ଲଢ଼େଇ କରୁଥିଲା ବେଳେ ମେଡିକାଲ ଉପକରଣ ଏବଂ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ଚାହିଦା ଆବଶ୍ୟକ କରୁଛି ।
ଆଗାମୀ କିଛି ମାସ ମଧ୍ୟରେ ବୋର୍ଡ ସାରା ଦେଶରେ କନ୍ସେନ୍ଟ୍ରେଟର୍ସ ଯୋଗାଇବ । ଯାହାଦ୍ବାରା ଏହାକୁ ଆବଶ୍ୟକ କରୁଥିବା ଗରିବ ରୋଗୀ ବିନା ବାଧାରେ ପାଇପାରିବେ । ଏହାଦ୍ବାରା ମହାମାରୀ ଦ୍ବାରା ହୋଇଥିବା ବିପଦ ହ୍ରାସ ପାଇବ’’ ବୋଲି ବିସିସିଆଇ ତା ୱେବ୍ସାଇଟ୍ରେ ପ୍ରକାଶ କରିଛି । ଏହି ମହାମାରୀ ସମୟରେ ନିରନ୍ତର ସେବା ଯୋଗାଉଥିବା ଚିକିତ୍ସା ଓ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସଂପ୍ରଦାୟକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ଅବସରରେ ଧନ୍ୟବାଦ ଦେଇଛନ୍ତି ।