କଟକ: ବଡ ମେଡିକାଲର ଉନ୍ନତିକରଣ ପାଇଁ ସରକାରଙ୍କ ନିଦେ୍ର୍ଦଶ କ୍ରମେ କଟକ ସହରରୁ ଗୋଟିଏ ପରେ ଗୋଟିଏ ବସ୍ତି ଉଚ୍ଛେଦ କରାଯାଇ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଥଇଥାନ କରାଯାଇଥିଲେ ହେଁ ଆଜିର କାଳବୈଶାଖୀ ତାଙ୍କ ପାଇଁ କାଳ ସାଜିଥିଲା । ୧୫ ମିନିଟର ବର୍ଷା ଓ ପବନ ଯୋଗୁଁ ନୂଆପଡା ବାଲିସାହିରେ ଥଇଥାନ ହୋଇଥିବା ୭୦୦ରୁ ଊଦ୍ଧ୍ୱର୍ ବସ୍ତିବାସିନ୍ଦାଙ୍କ ମଧ୍ୟରୁ ଟେଣ୍ଟରେ ରହିଥିବା ପ୍ରାୟ ୨୦୦ରୁ ୨୫୦ ଟେଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା ।
ଏପରିକି ନିମିଷକ ମଧ୍ୟରେ ଟେଣ୍ଟଗୁଡିକର ଛପର ଉଡିଯିବା ସହିତ ବାଉଁଶ ଓ ବଲାଗୁଡିକ ଭାଙ୍ଗିଯିବା ଫଳରେ ଘରଗୁଡିକ ଭୁଷୁଡି ପଡିଥିଲା । ଯାହା ଫଳରେ ପିଲାଛୁଆ ଧରି ରହୁଥିବା ଏହି ବାସିନ୍ଦାମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଏପରିକି ଟେଣ୍ଟ ଭିତରୁ ବୃଦ୍ଧ/ବୃଦ୍ଧାଙ୍କ ସମେତ ପିଲାମାନଙ୍କ କାନ୍ଦ ବୋବାଳି ପଡିଥିଲା । ତେବେ ବସ୍ତିର ଅନ୍ୟ ବାସିନ୍ଦାମାନେ ପରିସ୍ଥିତିକୁ ଦେଖି ଏକତ୍ରିତ ଭାବେ ଉଦ୍ଧାର କାର୍ଯ୍ୟକୁ ଆଗେଇ ନେଉଥିବା ବେଳେ ଅନତି ଦୂରରେ ଏକ ପୋଲିସ ପିସିଆର ଭ୍ୟାନ ରହିଥିବା ଦେଖି ସାହାଯ୍ୟ ପାଇଁ ନିବେଦନ କରିଥିଲେ । ହେଲେ ଭ୍ୟାନରେ ଥିବା ମାତ୍ର ୪ ଜଣ ପୋଲିସ କର୍ମଚାରୀ ସହାୟତା ପାଇଁ ଅକ୍ଷମତା ପ୍ରକାଶ କରିବା ଫଳରେ ଉଭୟଙ୍କ ମଧ୍ୟରେ ପାଟିିତୁଣ୍ଡ ଏପରିକି ମାରପିଟ୍ ମଧ୍ୟ ହୋଇଥିଲା । ବସ୍ତିବାସିନ୍ଦାମାନେ ପୋଲିସ ଉପରକୁ ଢେଲାପଥର ମାଡ କରିବା ସହ ପୋଲିସ ଭ୍ୟାନକୁ ଭଙ୍ଗାରୁଜା ମଧ୍ୟ କରିଥିଲେ । ପୋଲିସ ଉପରେ ଆକ୍ରମଣ ଦେଖି ପିସିଆର ଚାଳକ ଏ ସଂପର୍କରେ ଥାନାକୁ ଖବର ଦେବା ପରେ ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କ ସହିତ ୨ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଂଚିଥିଲା । ତେବେ ମଧ୍ୟ ଉତ୍ତେଜନା କମିବା ପରିବର୍ତ୍ତେ ବଢି ବଢି ଚାଲିଥିଲା ।
ଖବର ପାଇ ଚୈାଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଧାୟକ ସୈାଭିକ ବିଶ୍ୱାଳ, ବସ୍ତି ବାସିନ୍ଦା ନେତା ବୃନ୍ଦାବନଦାସ ଆଜାଦ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିଥିଲେ । ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ସିଏମସି କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଲେଖାଥିବା ବସ୍ତିବାସିନ୍ଦାଙ୍କର ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ରକୁ ଅତିରିକ୍ତ ଡିସିପି ପ୍ରମୋଦ ରଥଙ୍କୁ ପ୍ରଦାନ କରାଯାଇଥିଲା । ମୁଖ୍ୟତଃ ବସ୍ତିବାସିନ୍ଦାଙ୍କ ଚିକିସôା, ସଫେଇ, ଜଳ ଯୋଗାଣ, ବିଦୁ୍ୟତ ସଂଯୋଗ ଓ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଯଦି ୭୨ ଘଣ୍ଟା ମଧ୍ୟରେ ଏସବୁ ସମସ୍ୟାର ସମାଧାନ କରାନଯାଏ ସେମାନେ ପୁଣିଥରେ ତାଙ୍କ ପୁରୁଣା ସ୍ଥାନକୁ ଫେରିଯିବେ ବୋଲି ଧମକ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏସସିବି ମେଡିକାଲ ସଂପ୍ରସାରଣ ପାଇଁ ପିଲିଗ୍ରୀମ ରୋଡ, ରାଣୀହାଟ, ଯୋବ୍ରା, ଛତ୍ରବଜାର ବେହେରାସାହି, ଏସସିବି ମେଡିକାଲ ପରିସର, କେନାଲ କୂଳ ବସ୍ତି ସହିତ ନୂଆବଜାର, ମତଗଜପୁର ଆଦି ଅଞ୍ଚଳର ୯ଟି ବସ୍ତିର ଲୋକଙ୍କୁ ବାଲିସାହିରେ ଥଇଥାନ କରାଯାଇଥିଲା ।