ଭୁବନେଶ୍ୱର: ବସ୍ତି ବାସିନ୍ଦା ଲାଗି ଖୁସି ଖବର । ଓଡ଼ିଶା ହେବ ବସ୍ତି ମୁକ୍ତ । ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ପ୍ରକାରର ସୁବିଧା । ୨୯୯୨ ବସ୍ତିର ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନବସତି ଭଳି ବସ୍ତି ଗୁଡ଼ିକର ବି କରାଯିବ ବିକାଶ। ବସ୍ତିରେ ବିଜୁଳି, ପରିମଳ, ସ୍ବାସ୍ଥ୍ୟ ଶିକ୍ଷା ଉପରେ ଦିଆଯିବ ଗୁରୁତ୍ବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବସ୍ତିରେ କରାଯିବ ଉନ୍ନତିକରଣ। ପୌରାଞ୍ଚଳକୁ ମିଳୁଥିବା ଅନୁଦାନରୁ ୨୫ ପ୍ରତିଶତ ବସ୍ତିରେ ଖର୍ଚ୍ଚ ହେବ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ସୂଚନା ଥାଉକି, ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ଘୋଷଣା କରିଛନ୍ତି । ଅନେକ ବସ୍ତି ଉଚ୍ଛେଦ ହୋଇଥିବା ବେଳେ ସେମାନଙ୍କୁ ରହିବା ଲାଗି ଘର ଓ ଜାଗା ମଧ୍ୟ ପ୍ରଦାନ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ନୂଆ ନୂଆ ଯୋଜନାମାନ ଘୋଷଣା କରିବା ସହ ଓଡ଼ିଶାର ହିତ ସାଧନ କ୍ଷେତ୍ରରେ ଦୃଷ୍ଟି ଦେଉଛନ୍ତି । ତେବେ ଏହା କାର୍ଯ୍ୟକାରୀ ହେଲେ ବହୁ ବସ୍ତି ବାସିନ୍ଦା ବିଭିନ୍ନ ସୁବିଧା ପାଇବେ ।