Odia News Portal

ସଂଗୀତକାର ବାପି ଲାହିରିଙ୍କର ଆଭୂଷଣ ପ୍ରତି ଥିଲା ଅହେତୁକ ଦୁର୍ବଳତା

ପ୍ରଥମେ କୋକିଳ କଣ୍ଠୀ ଲତା ମଙ୍ଗେସକର ସାରା ଦେଶକୁ ଲୁହର ସାଗରରେ ଭସାଇ ଚାଲି ଯାଇଥିବା ବେଳେ ଆଜି ପୁଣି ଏକ ଦୁଃଖଦ ଖବର ସିନେ ଜଗତକୁ ଦୋହଲାଇ ଦେଇଛି। ଚାଲି ଯାଇଛନ୍ତି ବାପି ଲାହିରି। ସୁନାକୁ ଭଲ ପାଉଥିବା ଜଣେ ସୁନା। ୮୦ ଓ ୯୦ ଦଶକରେ ଭାରତରେ ଡିସ୍କୋ ସଂଗୀତକୁ ଲୋକପ୍ରିୟ କରିଥିବା ସଂଗୀତକାର ତଥା ଗାୟକ ବାପି ଲାହିରି ଆଜି ଦୁନିଆକୁ କହିଛନ୍ତି ଅଲବିଦା। ୬୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଆଜି ସକାଳେ ତାଙ୍କ ପରଲୋକ ଘଟିଛି। ଏ ନେଇ ନିର୍ଦ୍ଦେଶକ ଡା.ଦୀପକ ନାମଜୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବାପି ଲାହିରି ଦୀର୍ଘ ମାସେ ହେଲାଣି ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ସୋମବାର ଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ମଙ୍ଗଳବାର ହଠାତ୍ ପୁଣିଥରେ ତାଙ୍କ ଶରୀରର ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଏଣୁ ପରିବାର ଲୋକେ ଘରକୁ ଜଣେ ଡାକ୍ତରଙ୍କୁ ଡାକିଥିଲେ। କିନ୍ତୁ ଘରେ ଚିକିତ୍ସା ସମ୍ଭବ ହେଲାଣି। ଏଣୁ ପୁଣିଥରେ ତାଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଥିଲା। ଡାକ୍ତର ବି ଚେଷ୍ଟାରେ କୌଣସି ଖିଲାପ କରିନଥିଲେ। କିନ୍ତୁ ବିଧିର ବିଧାନ ବୋଧେ ଥିଲା କିଛି ଅଲଗା। ଅଧ ରାତିରେ ଓଏସଏ ବା ଅବଷ୍ଟ୍ରକ୍ଟଟିଭ୍ ସ୍ଲିପ୍ ଏପନିୟା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି। ସକାଳୁ ସକାଳୁ ଏହି ଖବର ସାମ୍ନାକୁ ଆସିବା ପରେ ଦୋହଲି ଯାଇଛନ୍ତି ସଂଗୀତ ପ୍ରେମୀ।