ଉତ୍କଳ ଦିବସଠାରୁ ଓଡ଼ିଶାରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଟ୍ରେନ ଗଡ଼ିବ ବୋଲି କୁହାଯାଉଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ହାୱଡ଼ା-ପୁରୀ ମଧ୍ୟରେ ଚାଲିବ। ସମ୍ଭବତଃ ଏହି ଏକ୍ସପ୍ରେସ୍ ହାୱଡ଼ାରୁ ବାହାରି ଖଡ଼ଗପୁର-ବାଲେଶ୍ବର-ଭଦ୍ରକ-ଯାଜପୁର-କଟକ-ଭୁବନେଶ୍ବର ଦେଇ ପୁରୀରେ ପହଞ୍ଚିବ। ତେବେ ରେଳ ମନ୍ତ୍ରାଳୟ ପକ୍ଷରୁ ଏଯାଏ ବିଧିବଦ୍ଧଭାବେ ତାରିଖ ଘୋଷଣା କରାଯାଇନି କିମ୍ବା ରୁଟ୍ ଚାର୍ଟ ମଧ୍ୟ ପ୍ରକାଶିତ ହୋଇନି। ଏସବୁ ଭିତରେ ରାଉରକେଲା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବାକୁ ଦାବି ଜୋର୍ ଧରିଲାଣି। ଏଠାକାର ଭିତ୍ତିଭୂମି, ଯାତ୍ରୀ ସଂଖ୍ୟା ଆଦି ଆଧାରକୁ ନେଲେ ଦାବିରେ ଯଥାର୍ଥତା ରହିଥିବା ସ୍ପଷ୍ଟ ଜଣାପଡ଼େ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ଦେଶରେ ଆଉ ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସାଧାରଣରେ ଦାବି ବଳ ଗୋଟାଉଛି।
ପୁରୀକୁ ଏହି ଏକ୍ସପ୍ରେସ୍ ଚାଲିବବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂର୍ବରୁ ଘୋଷଣା କରିଥିଲେ। ଏଣୁ ହାୱଡ଼ା-ପୁରୀ ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବା ଏକ ପ୍ରକାର ନିଶ୍ଚିତ। ଅପରପକ୍ଷରେ ରାଉରକେଲା କିନ୍ତୁ ଚିରାଚରିତ ରେଳବାଇ ଦ୍ବାରା ଅଣଦେଖାର ଶିକାର ହେବା ଆକଳନ କରାଯାଉଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ରାଉରକେଲା ଦେଇ କୌଣସି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବାର ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। କିନ୍ତୁ ଅନ୍ୟ ରୁଟ୍ରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍କୁ ରାଉରକେଲାଯାଏ ସଂପ୍ରସାରଣ କଲେ ଅନ୍ତତଃ ସହରବାସୀ ବହୁମାତ୍ରାରେ ଉପକୃତ ହେବେ। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ପ୍ରଥମ ସପ୍ତାହ ଭିତରେ ଟାଟା-ପାଟନା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବବୋଲି ଚର୍ଚ୍ଚା ଜୋର୍ ଧରିଛି।