ଆଜି ବଉଳ ଅମାବାସ୍ୟା।ହିନ୍ଦୁ ପାଞ୍ଜି ଅନୁସାରେ ପୌଷ ମାସ କୃଷ୍ଣପକ୍ଷ ଅନ୍ତିମ ତିଥିରେ ଏହି ଅମାବାସ୍ୟା ପଡେ। ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା(ବକୁଳ ଲାଗି) ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ପାଳିତ ହୋଇଥାଏ।ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରିଥାଏ।ଲୋକମାନଙ୍କ ମନରେ ବିଶ୍ୱାସ ଅଛି ଯେ, ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ଭଲ ଫଳ ହୋଇଥାଏ।ସେହିଭଳି ଏହି ଦିନ ଦାନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦାନଧର୍ମ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ବକୁଳ ଅମାବାସ୍ୟା ପାଳନର ବିଧି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବକୁଳ ବା ବଉଳ ଲାଗିହୁଏ।ଓଡ଼ିଆ ଘରର ଘରଣୀମାନେ ପାରମ୍ପରିକ ରୀତିରେ ଘରେ ଗଇଁଠା ପିଠା ତିଆରି କରନ୍ତି।ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ଆଦି ଗଛ ମୂଳକୁ ଭଲ ଭାବ ପରିଷ୍କାର କରି, ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ। ତା’ପରେ ସେହି ଗଛ ମୂଳରେ ଝୋଟି ଚିତା ପକାଯାଏ।ଏହାପରେ ସନ୍ଧ୍ୟା ସମୟରେ ଗଛଗୁଡ଼ିକୁ ହଳଦୀ ପାଣି ଛିଞ୍ଚି ସିନ୍ଦୂର,ଧୂପଦୀପ ଓ ଗଇଁଠା ପିଠା ସହିତ ପୂଜା କରାଯାଇଥାଏ।କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବକୁଳ ଗୁଡ଼ ମଧ୍ୟ କୁହାଯାଏ।

ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ।ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ । ଏହି ଭୋଗ ଓ ଆମ୍ବ ବାଉଳକୁ ବନ୍ଧୁ କୁଟୁମ୍ବ ମାନଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ।କେତେକ ସ୍ଥାନରେ ଘରର ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଅନ୍ୟ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ।ସାଧାରଣତଃ ଗୋଷ୍ଠିଗତ ଭାବେ ରହୁଥିବା କୁଟୁମ୍ବରେ ବୟୋଜ୍ୟେଷ୍ଠ ପୁରୁଖା ବ୍ୟକ୍ତିଙ୍କ ଘରେ ଏହି ପୂଜା ହୋଇଥାଏ ଏବଂ ସମସ୍ତେ ଏକାଠି ହୋଇ ପ୍ରଥମେ ବଉଳ ମିଶ୍ରିତ ଭୋଗ ସେବନ କରିଥାନ୍ତି ।