ଚାନ୍ଦିପୁର ଆଇଟି୍ଆରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ଗୋପନ ତଥ୍ୟ ପାକିସ୍ତାନର ଆଇଏସ୍ଆଇ ଏଜେଣ୍ଟଙ୍କୁ ପ୍ରଦାନ ଅଭିଯୋଗରେ ଗିରଫ ହୋଇଥିବା ଆଇଟିଆର୍ ଟେଲିମେଟ୍ରି ବିଭାଗର ସିନିୟର ଟେକ୍ନିକାଲ୍ ଅଫିସର ବାବୁରାମ ଦେଙ୍କର ଆର୍ଥିକ କାରବାର ଉପରେ ଖୋଳତାଡ଼ ଆରମ୍ଭ ହୋଇଛି। ଏଥିପାଇଁ ନୂଆଦିଲ୍ଲୀସ୍ଥିତ ଇକୋନୋମିକ୍ ଇଣ୍ଟେଲିଜେନ୍ସ କାଉନ୍ସିଲ୍ (ଇଆଇସି) ଅଧୀନ ଫାଇନାନ୍ସ ଇନ୍ଭେଷ୍ଟିଗେସନ୍ ୟୁନିଟ୍ ଅଫ୍ ଇଣ୍ଡିଆ (ଏଫ୍ଆଇୟୁଆଇ)ର ସହାୟତା ନିଆଯାଇଛି। ତେବେ, ଆଜି ତାଙ୍କର ୪ଦିନିଆ ରିମାଣ୍ଡ ଶେଷ ହେବାପରେ ପୁଣିଥରେ ବିଚାର ବିଭାଗୀୟ ପଠାଇଦେଇଛି।
ରିମାଣ୍ଡ ସମୟରେ ବାବୁରାମଙ୍କୁ ୪ ଦିନ ଧରି ପୁଲିସ, ବାୟୁସେନା ଏବଂ ଆନ୍ଧ୍ରପ୍ରଦେଶରୁ ଆସିଥିବା ଗୁଇନ୍ଦା ଟିମ୍ ମାରାଥନ୍ ଜେରା କରିଥିଲେ। ଜେରାସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ସେହିପରି, ଚାନ୍ଦିପୁର ଆଇଟିଆର୍ରେ ସେ କାମ କରୁଥିବା ଅଫିସ୍ ମଧ୍ୟ ଯାଞ୍ଚ୍ ସହିତ ଆଇଟିଆର୍ର ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ତେବେ, ଜେରାବେଳେ ବାବୁରାମ ନିଜର ଭୁଲ୍ ପାଇଁ ଅନୁତାପ କରିବା ସହ ଘର, ପରିବାର ଏବଂ ପିଲାଛୁଆଙ୍କ କଥା ମନେପକାଇ କାନ୍ଦିଥିବା ଶୁଣିବାକୁ ମିଳୁଛି। ଅନ୍ୟପଟେ, କି ପ୍ରକାର ତଥ୍ୟ ଆଇଏସ୍ଆଇ ଏଜେଣ୍ଟଙ୍କ ପାଖକୁ ଯାଇଛି, ସେ ବାବଦରେ ବୈଷୟିକ ଅନୁଧ୍ୟାନ ପାଇଁ ବାବୁରାମଙ୍କଠାରୁ ଜବତ କରାଯାଇଥିବା ମୋବାଇଲ୍ ଫୋନ୍, ଲାପ୍ଟପ୍ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଦିଲ୍ଲୀ ଓ କୋଲକାତାସ୍ଥିତ ଲ୍ୟାବ୍କୁ ପଠାଯାଇଛି।
ଆଜି ରିମାଣ୍ଡ ଶେଷ ହେବାପରେ ଅପରାହ୍ନରେ କଡ଼ା ସୁରକ୍ଷା ବଳୟରେ ବାବୁରାମଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଏହାପରେ ବାଲେଶ୍ବର ସିଟି ଜେଏମ୍ଏଫ୍ସି କୋର୍ଟର ଭାରପ୍ରାପ୍ତ ବିଚାରପତି ସାବିତ୍ରୀ ଦାସଙ୍କ ସମ୍ମୁଖରେ ହାଜର ସହ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଦାଖଲ ହୋଇଥିଲା। ପରେ, ବିଚାରପତିଙ୍କ ନିର୍ଦେଶ ଅନୁସାରେ ବାବୁରାମଙ୍କୁ ପୁଣି ବିଚାରବିଭାଗୀୟ କୋର୍ଟକୁ ନିଆଯାଇଛି।