ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ କେନ୍ଦୁଝରରୁ ଆରମ୍ଭ ହୋଇଥିଲା। ଏହା ଯାଜପୁରରେ ଉଦ୍ଯାପନ ହୋଇଛି । ଅକ୍ଟୋବର ୧୦ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ୟ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ୟ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ୟ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ଏହା ସହିତ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମି ସୁଦୃଢ ହେବାର ଅଭିଯାନ ଆଜି ରାଜ୍ୟର ସବୁ ଜିଲ୍ଲା, ସବୁ ବ୍ଲକ, ସବୁ ପଞ୍ଚାୟତ ଓ ସବୁ ଗାଁରେ ପହଞ୍ଜି ପାରିଛି। ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଛି। ଏହି କାର୍ୟ୍ୟକ୍ରମର ଫୋକସ୍ ହୋଇଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମର ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏଥିପାଇଁ କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୨୦ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ ଓ ପଟାଙ୍ଗୀ। ଏହିସବୁ ନିର୍ବାଚନ ମଣ୍ଡଳୀର ୧୪ଟି ବ୍ଲକ୍ର ୨୪୦ଟି ଗ୍ରାମ ପଞ୍ଚାୟତରେ ୩୦୮୭ଟି ପ୍ରକଳ୍ପ ହେବ। ସେହିପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୬୫.୫୦ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ନୂଆପଡା ଓ ଖରିଆର। ଏଥିରେ ୫ଟି ବ୍ଲକ୍ର ୧୩୧ଟି ଗ୍ରାମପଞ୍ଚାୟତରେ ୧୭୬୫ଟି ପ୍ରକଳ୍ପ କରାଯିବ। ସେହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୧୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯାଜପୁର, ବିଞ୍ଝାରପୁର, ବଡଚଣା, ବରି, ସୁକିନ୍ଦା, ଧର୍ମଶାଳା ଓ କୋରେଇ। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍ର ୩୧୧ଟି ଗ୍ରାମ ପଞ୍ଚାୟତରେ ୪୧୦୯ଟି ପ୍ରକଳ୍ପ ହେବ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଏକ ଅଭିନବ କାର୍ୟ୍ୟକ୍ରମ । ଗାଁରେ ଆଧୁନିକ ବିକାଶର ଭିତ୍ତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି। ଜଗନ୍ନାଥ ସଂସ୍କୃତିକୁ ସାଥିରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡିଶାର ଗାଁଗୁଡିକ ଆଗକୁ ବଢୁଛନ୍ତି । ସେ କହିଥିଲେ ଯେ ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟ ଏକ ସଶକ୍ତ ଓଡିଶା ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ୟ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।