ଭଦ୍ରକ: ଦୀର୍ଘ ୯ ମାସର ଅପେକ୍ଷା ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର | ତେବେ କରୋନା କଟକଣା ମଧ୍ୟରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ପରେ ଆଜି ଖୋଲିଛି ଭଦ୍ରକ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ ପାଇବେ। ଏହାପର ୨ ଦିନ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳିବ। ତେବେ ଦର୍ଶନ ନିମନ୍ତେ ପୂର୍ବରୁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହୋଇଛି ।
ସମସ୍ତଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି। ଭକ୍ତଙ୍କ ପାଇଁ ସାନିଟାଇଜ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାରିକେଡରେ ଭକ୍ତମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ମନ୍ଦିର ମଧ୍ୟକୁ ଛଡାଯାଉଛି। ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ କରିବେ ଭକ୍ତ । ତେବେ ମନ୍ଦିର ମଧ୍ୟକୁ ପୂଜାସାମଗ୍ରୀ ନେବାରେ କଟକଣା ଲଗାଯାଇଛି। ଆସନ୍ତା ୩୦ ଓ ୩୧ ତାରିଖରେ ସ୍ଥାନୀୟ ଲୋକ ଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଲୋକ କୋଭିଡ ନିୟମ ଅନୁଯାୟୀ ପରିଚୟପତ୍ର ଦେଖାଇ ଦର୍ଶନ କରିପାରିବେ। ନୂଆବର୍ଷକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ।