Odia News Portal

ଦର୍ଶନ ପାଇଁ କୋହଳ ହେଲା କଟକଣା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନ। ତେବେ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଲିଙ୍ଗରାଜ ମନ୍ଦିରରେ କଟକଣା କୋହଳ କରାଯାଇଛି ।ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇ ଥିବା ସମୟରେ ବୟସସୀମା ଉପରୁ ପ୍ରତିବନ୍ଧକ ହଟାଯାଇଛି । ବୟସ୍କ ଓ କମ ବୟସ୍କ ଭକ୍ତଙ୍କ ଦର୍ଶନ ସମସ୍ୟାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମନ୍ଦିର ନିକଟରେ ବିଏମସି ପକ୍ଷରୁ ମାଗଣା କୋଭିଡ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସୂଚନାନୁଯାୟୀ, ସିଂହଦ୍ୱାର ପର୍ଯ୍ୟନ୍ତ ଗୋଟିଏ ପଟେ ପ୍ରବେଶ ପଥ ଥିବା ବେଳେ ଅନ୍ୟପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଗତ ୨୭ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଥିବା ବେଳେ ପ୍ରଥମେ ସେବାୟତ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା। ପରେ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।