ଭୁବନେଶ୍ୱର: କରୋନା ଟିକା କୋଭିସିଲ୍ଡ ପରେ ଆସିଲା କୋଭାକ୍ସିନ । ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ ଟିକା । କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଆଜି ସକାଳେ ଆସି ପହଞ୍ଚି ଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ହଜାର ଡୋଜ ରାଜ୍ୟରେ ପହଞ୍ଚିଛି ।

ସୂଚନାନୁଯାୟୀ, ଭାରତ ବାୟୋଟେକ, ଆଇସିଏମ୍ଆର ଓ ଏନ୍ଆଇଭି ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ସଂପୂର୍ଣ୍ଣ ଭାବେ ଭାରତରେ ତିଆରି ପ୍ରଥମ ଦେଶୀ କରୋନା ଟିକା । ଆଜି ଭୋରରୁ ହାଇଦ୍ରାବାଦର ଜିନୋମ ଭ୍ୟାଲିରେ ଥିବା ଭାରତ ବାୟୋଟେକ ୟୁନିଟରୁ କୁଲିଂ ସିଷ୍ଟମ ଥିବା ଟ୍ରକରେ ହାଇଦ୍ରାବାଦ ବିମାନବନ୍ଦର ନିଆଯାଇଥିଲା । ଏହାପରେ ସେଠାରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆସିଥିଲା କୋଭାକ୍ସିନ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ଏହାକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ପଠାଯାଇଛି।

ସେହିଭଳି ଭାରତ ବାୟୋଟେକ୍ ଠାରୁ ୫୫ ଲକ୍ଷ କୋଭାକ୍ସିନ୍ ଟିକା କିଣିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । କୋଭାକ୍ସିନ୍ ହେଉଛି ଭାରତର ସଂପୂର୍ଣ୍ଣ ଦେଶୀ ଟିକା । ପ୍ରତି ଡୋଜକୁ ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବେ କେନ୍ଦ୍ର ସରକାର । ସେପଟେ ଭାରତ ବାୟୋଟେକ୍, ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଘୋଷଣା କରିଛି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।