Odia News Portal

ଆଜିିଠାରୁ ଖୋଲିଲା ସ୍କୁଲ

ଭୁବନେଶ୍ୱର : ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିବା ସ୍କୁଲ ସବୁ ଆଜିଠୁ ଖୋଲିଛି। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ମିଳିଲା । ଏଥିପାଇଁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ହୋଇଛି । ଛାତ୍ରଛାତ୍ରୀ ଅଭିଭାବକଙ୍କ ସହମତି ପତ୍ର ନେଇ ସ୍କୁଲରେ ପ୍ରବେଶ କରିବେ। ସ୍କୁଲ ଗୁଡିକରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯାଇଛି । ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତ ସାନିଟାଇଜ କରିବା ଓ ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ତେବେ ସରକାରଙ୍କ ଅନୁମତି ପରେ ଖୋଲିଛି ସ୍କୁଲ ଓ କଲେଜ । ଭୁବନେଶ୍ୱର ସ୍ଥିତ ୟୁନିଟ ୯ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କୋଭିଡ ଗାଇଡଲାଇନ ପାଳନ କରି ଆଜିଠାରୁ ବିଦ୍ୟାଳୟରେ ପାଠପଢା ଆରମ୍ଭ ହୋଇଛି । ପ୍ରତି କ୍ଲାସ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । କ୍ଲାସଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି । ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ମଧ୍ୟ ପର୍ଯ୍ୟାୟକ୍ରମେ କରାଯିବ । ପ୍ରଥମ ଦିନରୁ ହିଁ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସିଟ୍‌ରେ ଛାତ୍ରଛାତ୍ରୀ ବସିବେ । ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ ଓ୍ୱାସ୍ ମହଜୁଦ ରଖାଯାଇ ଥିବାବେଳେ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଭିତରକୁ ଛଡ଼ାଯିବ । ଶ୍ରେଣୀଗୃହକୁ ପ୍ରତିଦିନ ସାନିଟାଇଜ କରାଯିବ । ସ୍କୁଲ କାନ୍ଥରେ କୋଭିଡ ଗାଇଡଲାଇନ ପୋଷ୍ଟର ଲଗାଯାଇଛି । ସେପଟେ କଲେଜରେ ମଧ୍ୟ ପିଲାଙ୍କ ଭିତରେ ଗ୍ରୁପ ଓ ସେକ୍ସନ କରାଯାଇଛି ।

ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲ୍‌ରେ କରାଯାଇଥିବା ଆଇସୋଲେସନ୍ ରୁମ୍‌ରେ ରଖି ନିକଟସ୍ଥ ମେଡିକାଲ ଟିମ୍‌କୁ ସୂଚନା ଦେବେ କର୍ତ୍ତୃପକ୍ଷ । ସେହିପରି ପ୍ରବେଶ ପରେ ଅଧାରୁ ସ୍କୁଲ୍ ବାହାରକୁ କାହାରିକୁ ଛଡାଯିବନି । ଛୁଟି ପରେ ପୁଣିଥରେ ସବୁ ରୁମ୍‌କୁ ସାନିଟାଇଜ କରାଯିବ । ସ୍କୁଲ ଖୋଲିବାର ୨ ଦିନ ପରେ ଅର୍ଥାତ ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।