ଗୋଟିଏ ମଇଁଷି ନିଜ ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନ ଦେଇଦେଇଛି । ଏବେ ଚାରିଆଡେ ମଇଁଷିର ବିଶ୍ୱସନୀୟତାକୁ ନେଇ ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ ଭଦୋହୀର ବାବୁସରାୟ ଗାଁର ୫୫ ବର୍ଷୀୟ ପାରସ ପଟେଲ ରାତିରେ ଘର ବାହାରେ ଶୋଇଥିଲେ । ରାତି ଅଧରେ ଅଚାନକ ବର୍ଷା ହେଲା । ପାରସ ପଟେଲ ନିଜ ଶେଯ ଉଠାଇ ତରବରରେ ଭିତରକୁ ଯିବାକୁ ବାହାରିଲେ । କିନ୍ତୁ ସେହି ସମୟରେ ଇଲେକ୍ଟ୍ରିକ୍ ତାର ସଂସ୍ପର୍ଶରେ ଚାଲିଆସିଲେ । କହିରଖୁଛୁ ଭିତରକୁ ଯିବା ସମୟରେ ଏକ ବିଜୁଳି ତାର ଭୂମିରେ ପଡିଥିଲା । ପାରସ ପଟେଲ ଏକ ବାଡି ସାହାଯ୍ୟରେ ତାକୁ ହଟାଇବାକୁ ଚେଷ୍ଟା କଲେ । କିନ୍ତୁ ତାରଟି ମୋଡି ହୋଇ ତାଙ୍କ ଶରୀରରେ ଲାଗିଗଲା । ଘଟଣାସ୍ଥଳରେ ପାରସଙ୍କ ମୃତ୍ୟୁ ହୋଇଗଲା । ସେହି ସମୟରେ ତାଙ୍କ ପୁଅ ଶିବଶଙ୍କର ସେଠାରେ ପହଞ୍ଚିଲେ ଏବଂ ପିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ । କିନ୍ତୁ ତାର ସଂସ୍ପର୍ଶରେ ଆସି ଛଟପଟ ହେଲେ ।
ନିଜ ମାଲିକକୁ ଏଭଳି ସମସ୍ୟାରେ ଦେଖି ନିକଟରେ ଖୁଣ୍ଟରେ ବନ୍ଧା ହୋଇଥିବା ତାଙ୍କ ମଇଁଷି ଶିବଶଙ୍କରଙ୍କୁ ବଞ୍ଚାଇବା ପାଇଁ ଦୌଡିଆସିଲା । ମାଲିକକୁ ବଞ୍ଚାଇବା ସମୟରେ ସେ ମଧ୍ୟ ତାରରେ ଲାଗିଗଲା । କିନ୍ତୁ ମଇଁଷିଟି ନିଜ ମାଲିକକୁ ଧକ୍କା ମାରି ବଞ୍ଚାଇଦେଲା କିନ୍ତୁ ନିଜେ କରେଣ୍ଟ ଲାଗି ମରିଗଲା । ଶିବଶଙ୍କରଙ୍କର ଏବେ ଚିକିତ୍ସା ଚାଲିଛି । ଘଟଣାକୁ ନେଇ ସାରା ଗାଁରେ ଚର୍ଚ୍ଚା ହୋଇଗଲା । ଏବେ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଏବଂ ସମସ୍ତେ ସେହି ନୀରିହ ପଶୁର ମାଲିକ ପ୍ରତି ଥିବା ଭଲପାଇବାର ଗାଥା ଗାଉଛନ୍ତି ।