ତାଙ୍କର କିଛି ପରିଚୟର ଆବଶ୍ୟକତା ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସୁର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ମା ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି କିଛି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଜୋଶ ଦେଖିବାକୁ ମିଳେ ।
ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତ ରତ୍ନ ଲତା ମଙ୍ଗେସକର । ହଁ ଆଜ୍ଞା ଆଜି ହେଉଛି ଲତା ମଙ୍ଗେସକରଙ୍କ ଜନ୍ମଦିନ । ଆଜିର ଦିନରେ ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ ଲତା ମଙ୍ଗେସକର । ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ଜାଣିବା ତାଙ୍କ ଜୀବନର କିଛି ଖାସ କଥା ।
ଲତାମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥାଏଟର ଆର୍ଟିଷ୍ଟ ଥିଲେ । ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର ।
୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମାରଠୀ ଭାଷାରେ ୮ଟି ସଙ୍ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର ।