ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା। ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଡଙ୍ଗା ବୁଡ଼ି ୮ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ୨ଟି ମୃତଦେହ ଉଦ୍ଧାର ହୋଇଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଛୋଟ ଶିଶୁ । ୨ ଜଣ ମହିଳା ହୋଇଥିବା ବେଳେ ୬ ଜଣ ଶିଶୁ ଥିବା ଜଣା ପଡିଛି । ଏମାନେ ୫ ମାସ ତଳେ ତେଲେଙ୍ଗାନାର ଏକ ଇଟା ଭାଟିକୁ କାମ କରିବା ପାଇଁ ଯାଇଥିଲେ । ଲକ୍ଡାଉନ୍ ଯୋଗୁଁ ରାସ୍ତାରେ ଫେରି ନପାରି ଚିତ୍ରକୋଣ୍ଡାରେ ହୁଲି ଡଙ୍ଗାରେ ଫେରୁଥିଲେ । ଡଙ୍ଗାରେ ୧୧ ଜଣ ଥିବା ବେଳେ ଏକ ଗଛରେ ବାଜି ଡଙ୍ଗାଟି ବୁଡି ଯାଇଥିବା କୁହାଯାଇଛି। ପ୍ରବାସୀ ମାନଙ୍କୁ କାଳେ ୧୪ ଦିନିଆ କ୍ୱାରେଣ୍ଟାଇନ ରୁମ ରେ ରହିବାକୁ ପଡିବ ତାକୁ ଡରି ରାତ୍ର ସମୟ ଅନ୍ଧକାର ର ସୁଯୋଗ ନେଇ ଦେଶୀ ଡଙ୍ଗା ମାଧ୍ୟମରେ ଫେରୁଥିଲେ ନିଜ ଘରକୁ।
୨ଟି ଦେଶୀ ଡଙ୍ଗାରେ ୧୧ ଜଣ ଯାତ୍ରୀ ସେଲେରୁ ନଦୀ ପାରି ହେଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗା ପାଣିରେ ବୁଡି ଯାଇଥିଲା। ୩ ଜଣ ପହଁରି କୂଳକୁ ପହଞ୍ଚିଥିବା ବେଳେ ଅନ୍ୟମାନେ ବୁଡିଯାଇଥିଲେ । ଘଟଣାସ୍ଥଳରେ ମାଲକାନଗିରି ଜିଲ୍ଲାପାଳ ଏବଂ ଏସ୍ପି ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ନିଜେ ମାଲକାନଗିରି ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କ ପରିବାର ସହ ଭେଟିଛନ୍ତି। ଏବଂ ବହୁତ ଜଲଦି ମୃତକଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।