ଭୁବନେଶ୍ୱର : ରାଜ୍ୟରେ ସୁଦୃଢ ହେଉଛି ସ୍ୱାସ୍ଥ୍ୟ ଭିତ୍ତିଭୂମି । କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରୟାସ ଜାରି ରଖିଛନ୍ତି ।
ଓଡ଼ିଶାରେ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ। ଅକ୍ସିଜେନ୍ ପ୍ଲାଣ୍ଟର କେବଳ ସିଭିଲ୍ ଓ ଇଲେକ୍ଟ୍ରିକାଲ୍ କାମ NHAI କରିବ। ସମସ୍ତ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଥିବା ସୂଚନା ମିଳିଛି। ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଥିବା ନେଇ NHAI କର୍ତ୍ତୃପକ୍ଷ କହିଛନ୍ତି। ମହାମାରୀ କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପାଇଁ ଅକ୍ସିଜେନ୍ ସଞ୍ଜିବନୀ ସଦୃଶ ହୋଇଛି। ହେଲେ ଏହାର ଅଭାବ ଯୋଗୁ ବଡ଼ ବଡ଼ ମେଟ୍ରୋ ସିଟିରେ ରୋଗୀଙ୍କ ଜୀବନ ଯାଉଛି। ବିଶେଷକରି ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ଥିବା ମେଡିକାଲ୍ରେ ଅକ୍ସିଜେନ୍ର ଘୋର ଶଙ୍କଟ ଦେଖାଦେଇଛି। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ସେମାନଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚାଇଛି ଓଡ଼ିଶା। ଏବେ ଆଉ ୭ଟି ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଓଡ଼ିଶା ସମେତ ଦେଶରେ ଦେଖାଦେଇଥିବା ଅକ୍ସିଜେନ୍ ଅଭାବ ବହୁମାତ୍ରାରେ ଦୂର ହେବ।
କରୋନା ମହାମାରୀର ୨ୟ ଲହର ଦେଖାଯ଼ିବା ପରେ ଦେଶରେ ତରଳ ଅମ୍ଳଜାନର ଚାହିଦା ହଠାତ ବଢିଯ଼ାଇଛି । ଅମ୍ଳଜାନର ଅଭାବରୁ ଅନେକ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଦେଶର ବିଭିନ୍ନ ଷ୍ଟିଲ, ପାଓ୍ବାର ପ୍ଲାଣ୍ଟରୁ ତରଳ ଅମ୍ଳଜାନ ପଠାଯ଼ାଉଥିଲେ ବି ତାହାକୁ ସଡ଼କ ବା ରେଳପଥରେ ନେବା ପାଇଁ କଣ୍ଟେନରର ଅଭାବ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ଦେଶବ୍ୟାପୀ ୨୧ଟି ଜୁମ୍ବୋ ଫିଲଡ ହସପିଟାଲ (ବୃହତ ଅସ୍ଥାୟୀ ହସପିଟାଲ) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯ଼ାଇଛି ।
ଏହି ହସପିଟାଲଗୁଡ଼ିକରେ ମୋଟ ପ୍ରାୟ ୧୨୪୦୦ ଟି ଶଯ଼୍ୟା ରହିବ । ଏଗୁଡ଼ିକ ଦେଶର ବିଭିନ୍ନ ଷ୍ଟିଲ, ତାପଜ ବିଦ୍ୟୁତ ପ୍ଲାଣ୍ଟ ଓ ରିଫାଇନାରୀ ନିକଟରେ ସ୍ଥାପନ କରାଯ଼ିବ, ଯ଼ଦ୍ବାରାକି ସେସବୁ ପ୍ଲାଣ୍ଟରୁ ସିଧାସଳଖ ଗ୍ୟାସୀୟ ଅମ୍ଳଜାନ ହସପିଟାଲକୁ ଯ଼ୋଗାଣ ହୋଇପାରିବ । ଏହା ଦ୍ବାରା ତରଳ ଅମ୍ଳଜାନ ପରିବହନ ଜନିତ ସମସ୍ୟା ଦୂର ହେବ । ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା ନିକଟରେ ୫୦୦ ଶଯ଼୍ୟା, ଅନୁଗୁଳର ଟାଟାଷ୍ଟିଲ ବିଏସଏଲ ନିକଟରେ ୪୦୦ ଶଯ଼୍ୟା ଓ ଟାଟା ଷ୍ଟିଲ କଳିଙ୍ଗ ନଗର ପ୍ଲାଣ୍ଟ ନିକଟରେ ୪୦୦ ଶଯ଼୍ୟାର ଜୁମ୍ବୋ ହସପିଟାଲ ସ୍ଥାପନ କରାଯ଼ାଉଛି ।
ସୂଚନାଯ଼ୋଗ୍ୟ ଯ଼େ ଦେଶରେ ଏବେ ଦିନକୁ ପ୍ରାୟ ୯୫୨୪ ମେଟ୍ରିକ ଟନ ତରଳ ଅମ୍ଲଜାନ ଉତ୍ପାଦନ ହେଉଛି ଯ଼ାହାକି ମାର୍ଚ୍ଚ ମାସରେ ୫୭୨୦ ମେଟ୍ରିକ ଟନ ଥିଲା ।