Odia News Portal

ପୁଣି ୭ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ | ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ, ସି.ଡି.ପି.ଓ. ସ୍ନିଗ୍ଧାରାଣୀ ମିଶ୍ର, କମାଣ୍ଡାଣ୍ଟ ଏକାନ୍ତ ପ୍ରିୟ ନାୟକ, ଡି.ଏସ୍‌.ପି ଗୌତମ ମଲ୍ଲିକ, ଡେପୁଟୀ କମାଣ୍ଡାଣ୍ଟ ଦେବେନ୍ଦ୍ର ନାଥ ବେହେରା, କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତ ଓ କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା |

ଜେଲ ବିଭାଗର ଡି.ଆଇ.ଜି. ଭାବେ କାର୍ଯ୍ୟରତ ଥିଲେ ଗୋପବନ୍ଧୁ ମଲ୍ଲିକ| ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା | ସେହିଭଳି କୋରାପୁଟ ନନ୍ଦପୁରର ସି.ଡି.ପି.ଓ. ଭାବରେ କାର୍ୟ୍ୟ କାର୍ଯ୍ୟରତ ସ୍ନିଗ୍ଧାରାଣୀ ମିଶ୍ରଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍‌ କରାଯାଇଛି । ଏକାନ୍ତ ପ୍ରିୟ ନାୟକ କମାଣ୍ଡାଣ୍ଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ୟ୍ୟରତ ଥିଲେ । ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ୟ୍ୟାନୁଷ୍ଠାନ କରାଯାଇଛି ।

ସେହିଭଳି ଡି.ଏସ୍‌.ପି ଗୌତମ ମଲ୍ଲିକଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ ହୋଇଛି । ଦେବେନ୍ଦ୍ର ନାଥ ବେହେରା, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଭାବରେ କାର୍ୟ୍ୟ କରୁଛନ୍ତି । ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜ୍ଜୁ କରାଯାଇଛି । କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍‌ ରହିଛି । କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍‌ ରହିଛି ।