Odia News Portal

ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ

ଭୁବନେଶ୍ୱର: ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ |୬୦୦ କୋଟି ଟଙ୍କାରେ ବଦଳିବ ନନ୍ଦନକାନନର ରୂପରେଖ । ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୬୧ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସରେ ବାଘୁଣୀ ‘ସ୍ନେହା’ର ଦୁଇ ଛୁଆଙ୍କ ନାମ କରଣ କରାଯାଇଛି। ଧଳା ଶାବକର ନାଁ ଲବ ଓ ସାଧାରଣ ଶାବକର ନାଁ କୁଶ ରଖାଯାଇଛି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେଇଥିଲେ ।ତେବେ ଏଥିରେ ସଫାରି ପାଇଁ ୪ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯାଇଛି ।

ମଲ୍ଟି ପାର୍କିଂ ମୁଖ୍ୟ ରାସ୍ତାର ଲୋକାର୍ପଣ ହୋଇଛି । ଏହାଦ୍ୱାରା ପର୍ଯ୍ୟଟକ ମାନଙ୍କ ଯା’ଆସ ପାଇଁ ପୂର୍ବାପେକ୍ଷା ଅଧିକ ସୁବିଧା ହୋଇପାରିବ । ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା । ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ଯ୍ୟଟକ। ସେହିଭଳି ଟଏ ଟ୍ରେନ, ରୋପ ୱେ ବି ନୂଆବର୍ଷଠାରୁ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।