Odia News Portal

ଡବଲ ମର୍ଡର ଘଟଣାରେ ୪ ଗିରଫ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ମାହାଙ୍ଗା ପୁଲିସ୍‌ । ସିନ୍ ରିକ୍ରିଏସନ୍ ବେଳେ ପୁଲିସ୍‌ ଗୋଟିଏ ଖଣ୍ଡା ଜବତ କରିଛି। ସୂଚନାନୁଯାୟୀ , ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କଟକ ଗ୍ରାମାଞ୍ଚଳ ପୁଲିସ୍‌ ପକ୍ଷରୁ ୫ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍‌ ଗତକାଲି ରାତିରେ ମାହାଙ୍ଗର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଉଠାଇନେଇଥିଲା । ପଚରାଉଚରା ପରେ ଆଜି ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିଭଳି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଚଢ଼ାଉ ଜାରି ରହିଛି।

ଏହି ଘଟଣାକୁ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଗତକାଲି ଦଳ କଟକ ଓ ଅବିଭକ୍ତ କଟକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସବୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଉଛି । ଏହା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ୪୮ ଘଣ୍ଟା ମହଲତ ଦେଇଛି ବିଜେପି। ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ସଭା କରିବାକୁ ଦିଆଯିବ ନାହିଁ ଦଳ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠୁ ରାଜ୍ୟର ସବୁ ଏସ୍‌ପି ଅଫିସ୍‌ ଓ ୮ ତାରିଖରେ ଡିଜି ଅଫିସ୍ ଘେରାଉ କରିବାକୁ ଦଳ ଯୋଜନା କରିଛି। ସେହିପରି ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଆଇନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି।