ଭୁବନେଶ୍ୱର : ଏଏନଏମ ଧାରଣା ପଛରେ ରହିଛି ବଡ଼ ଧରଣର ରାକେଟ । ଲୋୟର ପିଏମଜିରେ ଧାରଣାରତ ଏଏନଏମକର୍ମୀଙ୍କୁ ପ୍ରଲୋଭିତ କରି ଟଙ୍କା ଆଦାୟ କରୁଛନ୍ତି ଦଲାଲ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।। ଏଏନ୍ଏମ୍ଙ୍କୁ ଠକେଇ କରିଥିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ ।
ସୂଚନାନୁଯାୟୀ , ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରାଯାଇ ଟଙ୍କା ମଗାଯାଉଛି। ଏନେଇ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରଲ ହୋଇଥିଲା। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ସେ ନେଇ ପୋଲିସ କେ ଅଶ୍ୱନୀ ଦୋରା, ସନ୍ତୋଷ ସାହୁ, ରାଜ କିଶୋର ଆଦାରି ନାମକ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୫୦ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଚାକିରୀ ସ୍ଥାୟୀ କରିବା ପାଇଁ ଜଣଙ୍କ ପିଛା ୧୫ ହଜାର ଲେଖାଏଁ ଟଙ୍କା ନେଉଥିଲେ ଦଲାଲ । ତେବେ ଏଭଳି ଉପାୟରେ କୋଟି କୋଟି ଟଙ୍କା ଠକେଇ କରି ଅଭିଯୁକ୍ତମାନେ ଫେରାର ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ସୂଚନା ମିଳିଛି ।
ତେବେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଏସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ‘‘ଜିଲ୍ଲା ଓ୍ୱାଇଜ ଫୋନ୍ କରିକି ଏଭଳି ପ୍ରଲୋଭନ ଦିଆଯାଉଥିବା ଖବର ମିଳିଥିଲା। ପରେ ଗଞ୍ଜାମରୁ ୩ ଜଣକୁ ଅଟକ ରଖାଯିବା ସହ ଗତକାଲି ପଚରା ଉଚରା କରାଯାଇଥିଲା । ଜେରା ବେଳେ ସେମାନେ ସବୁ ସତ ମାନିଛନ୍ତି । ତେବେ ବିଭିନ୍ନ ଜିଲ୍ଲାରେ ଏଭଳି ଠକାମୀ କରାଯାଉଥିବା ନେଇ ଆମେ ସନ୍ଦେହ କରୁଛି । ଆଉ ଏସମ୍ପର୍କରେ କିଛିଟି ସୂଚନା ମଧ୍ୟ ଆମକୁ ମିଳିଥିବା କଥା ଡିସିପି ଉମାଶଙ୍କର ଦାସ କହିଛନ୍ତି |