Odia News Portal

ଆରଏସପିର ଦୁଇ ଡିଜିଏମ୍‌ ନିଲମ୍ବିତ

ରାଉରକେଲା : ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଏନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୨ଜଣ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି | କର୍ତ୍ତବ୍ୟରେ ଅବହେଳା ଦର୍ଶାଇ କୋଲ୍‌ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍‌. ଦାସ ଓ ଏନର୍ଜି ମ୍ୟାନେଜମେଣ୍ଟ ଡିଜିଏମ ଜି ବାରିକଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ନେଇ ନିଷ୍ପତ୍ତି ନିଆଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସଂଚାର ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା। ଖବର ପାଇ ପ୍ଲାଣ୍ଟର ଅଗ୍ନିଶମ କର୍ମଚାରୀ ପହଞ୍ଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ସୁସ୍ଥ ଥିବା ଜଣାପଡ଼ିଛି । କୋଲ କେମିକାଲ ବିଭାଗରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲିଥିବାବେଳେ ବିଷାକ୍ତ କାର୍ବନ ମନୋକସାଇଡ୍ ଗ୍ୟାସ ଲିକ ହୋଇଥିଲା ।

ତେବେ ଏନେଇ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ଲାଣ୍ଟ ମଧ୍ୟରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ମୃତ ଠିକା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଥିଲା । ପୂର୍ବରୁ ମଧ୍ୟ କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଅଘଟଣ ଘଟି ବହୁ ଜୀବନହାନୀ ହୋଇଥିବା ବେଳେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।