ଜମ୍ମୁ-କଶ୍ମୀରର ଉରି ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରେବଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନ ସୀମାରୁ ୨ ଜଣ ଆତଙ୍କବାଦୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧରି ଅନୁପ୍ରବେଶ କରୁଥିଲେ ହେଁ ଏହାକୁ ବେଶ ସଫଳତାର ସହ ଭଣ୍ଡୁର କରିଛନ୍ତି ସୁରକ୍ଷାକର୍ମୀ।
ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ଜଣେ ଜୀବନ୍ତ ଧରା ପଡ଼ିଛି। ଜୀବନ୍ତ ଆତଙ୍କବାଦୀର ବୟସ ମାତ୍ର ୧୯ ବର୍ଷ। ସେ ଓ ତା’ର ସହଯୋଗୀ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ନିର୍ଦ୍ଦେଶରେ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି।
ମେଜର ଜେନେରାଲ ବୀରେନ୍ଦ୍ର ବ୍ୟାସ ଆଜି କହିଛନ୍ତି, ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଆତଙ୍କୀ ଜଣଙ୍କ ହେଉଛି ଅଲୀ ବାବର ପାତ୍ର। ତା’ ଘର ପାକିସ୍ତାନର ପଞ୍ଜାବ ପ୍ରଦେଶରେ। ସେ ଲସ୍କର ଆତଙ୍କୀ ସଂଗଠନର ସଦସ୍ୟ ବୋଲି ସ୍ୱୀକାର କରିଛି। ଆକ୍ରମଣ ପାଇଁ ତା’କୁ ମୁଜାଫରବାଦରେ ତାଲିମ ଦିଆଯାଇଥିଲା।
ଅଲୀ ବାବର ପାତ୍ର ଓ ତା’ର ସହଯୋଗୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗତକାଲି ସନ୍ଧ୍ୟାରେ ଉରି ନିକଟରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ହେଲେ ଏହାକୁ ସୁରକ୍ଷାକର୍ମୀମାନେ ପଣ୍ଡ କରିଦେଇଛନ୍ତି ବୋଲି ସେ କହିଛନ୍ତି।
ବିଗତ ୭ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୭ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ଜଣକୁ ଜୀବନ୍ତ ଗିରଫ କରାଯାଇଛି। ସୀମା ସେପଟେ ମୁତୟନ ପାକିସ୍ତାନ ଆର୍ମିର ବିନା ସହାୟତାରେ ଏତେ ସଂଖ୍ୟକ ଆତଙ୍କୀ ଅନୁପ୍ରବେଶ ପାଇଁ ଚେଷ୍ଟା କରିବା କେବେ ସମ୍ଭବ ନୁହେଁ। ଏଲଓସି ନିକଟରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ ଗୁଡ଼ିକରେ ଏବେ ଗତିବିଧି ବଢ଼ିଥିବା ମେଜର ବ୍ୟାସ କହିଛନ୍ତି