ମହାରାଷ୍ଟ୍ର: ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଗଲା ସାନିଟାଇଜର ।ମହାରାଷ୍ଟ୍ରର ଯବତମାଲରେ ଏହିଭଳି ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି | ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଗତ ରବିବାର ଦିନ ସାରା ଦେଶରେ ପଲସ୍ ପୋଲିଓ ଅଭିଯାନ ଆରମ୍ଭ ହୋଇଥିଲା |ତେବେ ଘାଟାଜୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ପୋଲିଓ ଅଭିଯାନ ଚାଲୁଥିଲା । ଏହି ସମୟରେ ୧୨ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର୍ ପିଆଇ ଦିଆଯାଇଥିବା ଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ରାତିରେ ଶିଶୁମାନେ ବାନ୍ତି କରି ଅସୁସ୍ଥ ହୋଇଯାଇଥିଲେ | ଶିଶୁ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯିବାରୁ ସେମାନଙ୍କୁ ଭାସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ଭାସନ୍ତରାଓ ନାୟକ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ କହିଛନ୍ତି, ବର୍ତ୍ତମାନ ସମସ୍ତ ଶିଶୁଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସୁଧାର ଆସୁଛି। ୟାଭତମାଲ ଜିଲ୍ଲାପାଳ ଏମ ଦେବେନ୍ଦ୍ର ସିଂ ରବିବାର ରାତିରେ ଡାକ୍ତରଖାନା ପରିଦର୍ଶନ କରି ପିଲାଙ୍କ ଅବସ୍ଥା ପଚାରି ବୁଝିଥିଲେ। ପରେ ସେ ଜିଲା ପରିଷଦର ସିଇଓ ଶ୍ରୀକୃଷ୍ଣ ପଞ୍ଚଲଙ୍କୁ ମହାରାଷ୍ଟ୍ରର କପସି-କୋପାରୀ ଗ୍ରାମ ପରିଦର୍ଶନ କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୋମବାର ବିଳମ୍ବିତ ରାତିରେ ପ୍ରାଥମିକ ଅନୁସନ୍ଧାନ ପରେ ଜଣେ ସିଏଚଓ, ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କୁ ନିଲମ୍ବିତ କରିଛନ୍ତି।