ୱାକଫ୍ ଆଇନ୍ ଉପରେ ଅନ୍ତରୀଣ ଆଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ୱାକଫ ବୋର୍ଡ ଓ ସମ୍ପତ୍ତିରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ୭ ଦିନ ସମୟ ଦିଆଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୫ ତାରିଖରେ ହେବ । ଏହି ସମୟ ମଧ୍ୟରେ କେବଳ ୫ ଜଣ ରିଟ୍ ଆବେଦନକାରୀ କୋର୍ଟରେ ଉପସ୍ଥିତ ରହିବେ । ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ସବୁ ପକ୍ଷ ନିଜ ନିଜ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ ଯେ, ସେମାନଙ୍କର ପାଞ୍ଚଟି ଆପତ୍ତି କ’ଣ ? ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ କେଭି ବିଶ୍ବନାଥନ ଏବଂ ଜଷ୍ଟିସ ସଂଜୟ କୁମାରଙ୍କ ଖଣ୍ଡପୀଠ ପୂରା ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ, ଅଭିଷେକ ମନୁ ସିଙ୍ଘଭି ଓ ରାଜୀବ ଧାବନ ମାମଲା ପରିଚାଳନା କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ପରିଚାଳନା କରୁଥିଲେ । ସେପଟେ ୱାକଫ୍ ଆଇନ୍ ବିରୋଧରେ ପିଟିସନ ଦାଖଲ କରିଥିବା ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ୱୱେସୀ ଏହି ଆଇନକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ କହିଛନ୍ତି ।