ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଉଛନ୍ତି । ଜନସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକ୍ର ୯୧% ଚାଷ ଜମିକୁ ଜଳ ସେଚିତ କରିବା ପାଇଁ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି । ଫଳରେ ଆଉ ଚାଷ ସମସ୍ୟା ରହିବ ନାହିଁ ବୋଲି ୫-ଟି ଅଧକ୍ଷ ଭି.କେ. ପାଣ୍ଡିଆନ ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କୃଷକ ସମାବେଶରେ ଯୋଗଦେଇ ଏହା କହିଛନ୍ତି । ଏଥିସହ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିନା ପ୍ରିମିୟମରେ ଫସଲ ବୀମା ସାଙ୍ଗକୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା ଆରମ୍ଭ କରିଥିବା କହିଛନ୍ତି । ପଞ୍ଚାୟତରୁ ବ୍ଲକ୍କୁ ଆସିବା ପାଇଁ ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି । ହିଞ୍ଜିଳି ଠାରୁ ଶେରଗଡ଼ ଆସିବା ବେଳେ ରାସ୍ତାରେ ବିଭିନ୍ନ ପଞ୍ଚାୟତ ପକ୍ଷରୁ ୫-ଟି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପଟ୍ଟନାୟକ ଛକଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପରେ ଆମ୍ବୁଆ ବାଡ଼ି ଛକରେ ଥିବା ଗ୍ରାମୀଣ ଶିଳ୍ପ ପାର୍କ ପରିସରରେ ମହିଳାଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ୍ । କୃଷକ ସମାବେଶ ସାରି ଅଲାରିଗଡ଼ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନୀଲ କ୍ରିଷ୍ଣା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ଉନ୍ନୟନ ଅଧିକାରୀ ଭି. କିର୍ତ୍ତୀ ଭାଷନ୍, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ଏଡିଏମ୍ ଦେବବ୍ରତ ସାହୁ, ପ୍ରିୟ ରଞ୍ଜନ ପୃଷ୍ଟି, ହିଞ୍ଜିଳି ବିଡ଼ିଓ ସୁବ୍ରତ ଜେନା, ଶେରଗଡ଼ ବିଡ଼ିଓ ଶିବାଶିଷ ବରାଳ, ତହସିଲଦାର ତ୍ରିଦେବ ରଥ, ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ, ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହୀନ ବେହେରା, ଉପାଧ୍ୟକ୍ଷା ସୁଧାସ୍ମିତା ପଟ୍ଟନାୟକ, ମାଧବ ପଣ୍ଡା, ଅନିଲ କୁମାର ମହାପାତ୍ର, ଆତ୍ମା ଅଧ୍ୟକ୍ଷ ରଞ୍ଜନ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସମେତ ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକ୍ ନିର୍ବାଚିତ ପ୍ରତିନିଧି, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।