ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ସମ୍ଭାଳିବେ। ବିଜେପି ପାଇଁ ନୂଆ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ସ୍ପଷ୍ଟଚିତ୍ର ସାମ୍ନାକୁ ଆସୁନଥିବାରୁ ନଡ୍ଡାଙ୍କୁ ଆଉ କିଛିଦିନ ପଦ ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି ।
ନଡ୍ଡାଙ୍କ ଉପରେ ବର୍ତ୍ତମାନ ବହୁ ଭାର ରହିଛି । ସେ କେନ୍ଦ୍ର ସ୍ୱାସ୍ଥ୍ୟ, ରସାୟନ, ସାର ଓ ଫାର୍ମସ୍ୟୁଟିକାଲ୍ସ ମନ୍ତ୍ରୀ ରହିଥିବା ବେଳେ ରାଜ୍ୟସଭାରେ ବିଜେପିର ନେତା ମଧ୍ୟ ହୋଇଛନ୍ତି ।
ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହୋଇସାରିଛି । କିନ୍ତୁ ବିଜେପି ଏପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ନିଯୁକ୍ତି କରିନାହିଁ କିମ୍ବା ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସୂଚନା ଦେଇନାହିଁ । ବିଜେପି ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ କାର୍ଯ୍ୟକାଳ ଗତବର୍ଷ ମଧ୍ୟଭାଗରୁ ସରିଲାଣି । ପ୍ରଥମେ ତାଙ୍କ କାର୍ଯ୍ୟକାଳ ୨୦୨୪ ଫେବ୍ରୁଆରୀ ପର୍ଯ୍ୟନ୍ତ ବଢ଼ାଯାଇଥିଲା ବେଳେ ପୁଣି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ନଡ୍ଡାଙ୍କ କାର୍ଯ୍ୟକାଳ ପୁଣି ବଢ଼ାଯିବା ଦଳୀୟ ସମ୍ବିଧାନର ଉଲ୍ଲଂଘନ ଏବଂ ଏଥିପାଇଁ ଦଳର ନେତାମାନେ କୋର୍ଟର ସାମ୍ନା କରିପାରନ୍ତି ବୋଲି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କିଛିଦିନ ତଳେ ସତର୍କ କରାଇ ଦେଇଥିଲେ । ଏଥିସହ ସେ କହିଥିଲେ ବିଜେପି ଏକ ସ୍ୱୀକୃତିପ୍ରାପ୍ତ ତଥା ପଞ୍ଜିକୃତ ଦଳ ହୋଇଥିବାରୁ ଏହାର ସମ୍ବିଧାନ ମାନିବା ଆବଶ୍ୟକ ।