Odia News Portal

୨୦୨୪-୨୫ ବର୍ଷ ପାଇଁ ୨.୫୫ ଲକ୍ଷ କୋଟିର ବଜେଟ୍

ନିର୍ବାଚନ-୨୦୨୪କୁ ନଜର ଦେଇ ଓଡ଼ିଶା ସରକାର ଏକ ‘ପପୁଲିଷ୍ଟ ବଜେଟ୍‌’ ଆଣିଛନ୍ତି । ବଜେଟ୍‌ର ମୋଟ୍ ପରିମାଣ ୨.୫୫ ଲକ୍ଷ କୋଟି ଟଙ୍କା ଥିଲେ ହେଁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ୧ ଲକ୍ଷ ୧୮ହଜାର କୋଟିର ଲେଖାନୁଦାନ ଉପସ୍ଥାପନ ହୋଇଛି । ଏହାକୁ ସମତୁଲ ଓ ଜନକଲ୍ୟାଣକାରୀ ବଜେଟ୍ ଭାବେ ସରକାର ଅବହିତ କରିଛନ୍ତି । ଫୋକସ୍‌ରେ ରହିଛି ସାମାଜିକ କ୍ଷେତ୍ରର ବିକାଶ । ବିଶେଷକରି ୫-ଟି ଉପକ୍ରମ ଓ ମୋ ସରକାର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ମହିଳା ସଶକ୍ତିକରଣ କ୍ଷେତ୍ର ପ୍ରତି ଅଧିକ ବ୍ୟୟବରାଦ ହୋଇଛି ।

ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏହି ଅନ୍ତଃରିଣ ବଜେଟ୍ ଉପସ୍ଥାପନା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏଥର ବଜେଟ୍ ପରିମାଣ ବିଗତ ୨୦୨୧-୨୨ ଆର୍ôଥକ ବର୍ଷ ତୁଳନାରେ ୧୭.୬%, ୨୦୨୨-୨୩ ଆର୍ôଥକ ବର୍ଷ ତୁଳନାରେ ୧୫% ଓ ୨୦୨୩-୨୪ ତୁଳନାରେ ୧୧% ଅଧିକ ରହିଛି । ୨୦୨୧-୨୨ରେ ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲାବେଳେ ୨୦୨୨-୨୩ରେ ୨ ଲକ୍ଷ କୋଟି ବଜେଟ୍ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ୨.୩୦ ଲକ୍ଷ କୋଟିର ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ମୋଟ୍ ବଜେଟ୍‌ରେ ପ୍ରଶାସନିକ ଖର୍ଚ୍ଚ ୧,୦୩,୫୦୦ କୋଟି ଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ୧.୪୦ ଲକ୍ଷ କୋଟି ରହିଛି । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ୧ଲକ୍ଷ ୧୮ ହଜାର କୋଟିର ଲେଖାନୁଦାନ ଭିତରେ ପ୍ରଶାସନିକ ଖର୍ଚ୍ଚ ୪୭ ହଜାର କୋଟି,କାର୍ଯ୍ୟକ୍ରମ ଖର୍ଚ୍ଚ ୬୩ ହଜାର କୋଟି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଓ ନିର୍ବାଚନ ବାବଦକୁ ମୋଟ୍ ବାର୍ଷିକ ବ୍ୟୟ ଅଟ୍ଟକଳର ୧୦୦%, ପୁଞ୍ଜି ବ୍ୟୟ ପାଇଁ ୫୦% ଓ ଅନ୍ୟାନ୍ୟ ଖର୍ଚ୍ଚ ବାବାଦକୁ ବ୍ୟୟ ଅଟ୍ଟକଳ ୪୦% ଅନ୍ତର୍ଭୁକ୍ତ ।

କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୧,୪୦ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୧୯୯୯-୨୦୦୦ ଆର୍ôଥକ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ବଜେଟ୍ ୩,୪୯୦ କୋଟି ଟଙ୍କା ଥିଲା, ଯାହା ୨୩ ବର୍ଷ ମଧ୍ୟରେ ୪୦ ଗୁଣ ବୃଦ୍ଧି ପାଇଛି । ଦେଶର ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ, ମୋଟ୍ ବଜେଟ୍‌ରେ ପୁଞ୍ଜି ବ୍ୟୟର ଅନୁପାତ ଓଡ଼ିଶାର ସର୍ବାଧିକ । ୨୦୨୪-୨୫ରେ ପୁଞ୍ଜି ବ୍ୟୟ ଅଟକଳ ୬୩,୧୬୨ କୋଟି ଟଙ୍କା, ଯାହାକି ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ପ୍ରାୟ ୬.୮% । ୧୯୯୯-୨୦୦୦ ଆର୍ôଥକ ବର୍ଷରେ ପୁଞ୍ଜି ବ୍ୟୟ ଅଟକଳ ୭୯୯ କୋଟି ଟଙ୍କା ଥିଲା, ଯାହା ଏବେ ୭୯ ଗୁଣରୁ ଅଧିକ । ୨୦୨୪-୨୫ ୪ ବଜେଟ୍ ଅଟକଳ ସକାଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ଅନୁପାତ ୧୨.୨୫% ରହିଛି । ରାଜ୍ୟର ନିଜସ୍ୱ ରାଜସ୍ୱର ପ୍ରାୟ ୫୬% । ଏଥିଯୋଗୁଁ କେନ୍ଦ୍ରୀୟ ସ୍ଥାନାନ୍ତର ଉପରେ ନିର୍ଭରଶୀଳତା ହ୍ରାସ ପାଇଛି । ଅନ୍ୟପକ୍ଷରେ ରାଜସ୍ୱ ବଳକା ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ର ୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ବିତ୍ତୀୟ ନିଅଣ୍ଟକୁ ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩% ନିର୍ଦ୍ଧାରିତ ସୀମା ମଧ୍ୟରେ ରଖାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅଧିକ ରାଜସ୍ୱ ସଂଗ୍ରହ ଓ ଉନ୍ନତ ବ୍ୟୟ ପରିଚାଳନା ଯୋଗୁ କ୍ରମାଗତ ଭାବେ ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ଆର୍ôଥକ ନିଅଣ୍ଟ ଏଫ୍‌ଆରବିଏମ୍ ଆକ୍ଟ ଅନୁଯାୟୀ ଜିଏସ୍‌ଡିପିର ୪% ସ୍ତରରେ ରହିବ ବୋଲି ଆକଳନ କରାଯାଇଛି । ସରକାର କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ହୋଇଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ୨୦୨୪-୨୫ରେ ୨୮,୯୪୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଗତ ବର୍ଷର ବ୍ୟୟବରାଦ ଠାରୁ ୧୭% ଅଧିକ । କେବଳ କାଳିଆ ଯୋଜନାରେ ୧୯୩୫ କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ରବସ୍ଥା କରାଯାଇଛି । ଫସଲ ଉତ୍ପାଦନ ଦିଗରେ ପରିଚାଳନା ଦଗରେ ୧୬୧୦ କୋଟି ଟଙ୍କା ଓ କଫି ମିଶନ ପାଇଁ ୧୦୦ କୋଟି ଟଙ୍କା ଓ କ୍ଷୁଦ୍ର ଜଳସେଚନ ପାଇଁ ରାଜ୍ୟ ପ୍ରୋତ୍ସାହନ ବାହାଦରେ ୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଜଳସେଚନ ଓ ଜଳ ବ୍ୟବହାର ଦକ୍ଷତା ପାଇଁ ମୋଟ୍ ୧୪,୪୬୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଇଷ୍ଟିରିମ ଷ୍ଟେରେଜ ନିର୍ମାଣ ପାଇଁ ୮୬୦ କୋଟି ବ୍ୟୟବରାଦ ହେଉଥିବାବେଳେ ପାର୍ବତୀଗିରି ମେଗା ଉଠା ଜଳସେଚନ ଯୋଜନାର ଦ୍ୱତୀୟ ପର୍ଯ୍ୟାୟ ଅତିରିକ୍ତ ୨.୬୩ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇବା ପାଇଁ ୧୨୨୫ କୋଟି ବ୍ୟୟବରାଦ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସମୁଦାୟ ୧୯,୯୫୯ କୋଟି ବ୍ୟୟବରାଦ ହୋଇଥିଲାବେଳେ ଆମ ହସ୍ପିଟାଲ ଯୋଜନା ପାଇଁ ୧୩୧୪ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମିଶନ ପାଇଁ ୨୯୯୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ପାଇଁ ୨୭୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସେମାନଙ୍କ ସଂଘକୁ ୧୧୭୯ କୋଟି, ମିଶନଶକ୍ତି ଗୃହ ନିର୍ମାଣ ପାଇଁ ୪୧୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ଶିକ୍ଷା କ୍ଷେତ୍ରକୁ ସମୁଦାୟ ୩୩,୮୬୫ କୋଟି ବ୍ୟୟବରାଦ ହୋଇଥିଲାବେଳେ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି, ଉଚ୍ଚଶିକ୍ଷା ବିଭାଗ ପାଇଁ ୩୪୭୦ କୋଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୧୫୮୩ କୋଟି ବ୍ୟୟବରାଦ ହୋଇଛି ।

ଅନ୍ତରୀଣ ବଜେଟ୍‌ରେ ସଡ଼କ, ସେତୁ, ବିମାନବନ୍ଦର ଓ ରେଳବାଇ ବିକାଶ ପାଇଁ ୨୧,୦୦୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । କେବଳ ସଡ଼କ ବିକାଶ କାର୍ଯ୍ୟକ୍ରମ ପାଇଁ ୬୧୯୪ କୋଟି ଟଙ୍କା ଏବଂ ବିଜୁ ଏକ୍ସପ୍ରେସୱେ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଥିବାବେଳେ ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟିକୁ ଅନୁଦାନ ନିମନ୍ତେ ୪୫ କୋଟି ଟଙ୍କା ଓ ଦୁର୍ଘଟଣା ଜନିତ ଅନୁକମ୍ପା ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ରେଳ ପ୍ରକଳ୍ପର ବିକାଶ ପାଇଁ ୭୦୦ କୋଟି ଟଙ୍କା ଓ ବେସାମରିକ ବିମାନ ଚଳାଚଳ ପାଇଁ କୋଟି ୩୭୨ ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଟ୍ରକ୍ ଟର୍ମିନାଲ୍ ନିର୍ମାଣ ପାଇଁ ୧୩୦ କୋଟି ଟଙ୍କା ଏବଂ ଓଡ଼ିଶା ପରିବହନ ଡ୍ରାଇଭର ଏବଂ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ୨୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପାଇଁ ୨୦୨୪ -୨୫ ରେ ୧,୨୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବନୀକରଣ ଓ ବନପ୍ରାଣୀ କାର‌୍ୟ୍ୟକଳାପ ପାଇଁ କାମ୍ପା ଅଧୀନରେ ୯୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟରେ ସବୁଜ ଆବରଣ ବୃଦ୍ଧି ପାଇଁ ୩୫ କୋଟି ଟଙ୍କା ଏବଂ ଆମ ଜଙ୍ଗଲ ଯୋଜନା ପାଇଁ ୧୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ ୮୧୮ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି ।

ପର‌୍ୟ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୪୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ୨୭୯ କୋଟି ଟଙ୍କା ଏବଂ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ ୪,୩୫୨ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି । ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ ୫୦ କୋଟି ଟଙ୍କା, ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ବିଦ୍ୟୁତିକରଣ ଯୋଜନା ପାଇଁ ୫୬ କୋଟି ଟଙ୍କା, ବିଜୁ ସହରାଞ୍ଚଳ ବିଦ୍ୟୁତୀକରଣ ଯୋଜନା ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପ ଯଥା ପ୍ଲୋଟିଂ ସୋଲାର, ଛାତ ସୋଲାର ଏବଂ ପବନ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଭିଜିଏଫ ବାବଦକୁ ୨୫୦ କୋଟି ଟଙ୍କାପ୍ରଦାନ କରାଯାଇଛି । ଶିଳ୍ପ ଏବଂ ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ କ୍ଷେତ୍ର ନିମନ୍ତେ ୧,୫୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

କ୍ଷୁଦ୍ର ଶିଳ୍ପ ପାଇଁ ୫୧୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ସେଥୁମଧ୍ୟରୁ କ୍ଷୁଦ୍ର ଶିଳ୍ପକୁ ଆର୍ôଥକ ସହାୟତା ପାଇଁ ୨୪୫ କୋଟି ଟଙ୍କା, ଭିତ୍ତିଭୂମି ବିକାଶ ପାଇଁ ୨୫୬ କୋଟି ଟଙ୍କା, ବୈଦେଶିକ ବାଣିଜ୍ୟ ଏବଂ ରପ୍ତାନି ପ୍ରୋତ୍ସାହନ ପାଇଁ ୩ କୋଟି ଟଙ୍କା ଏବଂ ନଡ଼ିଆ କତା ଶିଳ୍ପର ପ୍ରୋତ୍ସାହନ ପାଇଁ ୩ କୋଟି ଟଙ୍କାପ୍ରଦାନ କରାଯାଇଛି । ରାଜ୍ୟ ସରକାର ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆବର୍ଗ ଏବଂ ସଂଖ୍ୟଲଘୁ ସଂପ୍ରଦାୟର ପିଲାଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରାଇବାକୁ ପ୍ରାକ୍ ମାଟ୍ରିକ ବୃତ୍ତି, ମାଟ୍ରିକ ପରବତ୍ତୀ ବୃତ୍ତି ସହ ଅନ୍ୱେଷା ଓ ଆଂକାକ୍ଷା ଭଳି ଯୋଜନା ହାତକୁ ନିଆଯାଇଛି । ବିଧାନସଭାରେ ଅନ୍ତରିଣ ବଜେଟ୍ ଆଗତ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସହିତ ବିଭାଗୀୟ ଶାସନ ସଚିବ ବିଶାଳ ଦେବ ଓ ଅନ୍ୟଅଧିକାରୀମାନେ ଉପସ୍ଥିତ ଥିଲେ ।

ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଋଣ ପରିମାଣ ୯୨,୭୫୪ କୋଟି
ଗତ ବର୍ଷର ଜାନୁଆରୀ ସୁଦ୍ଧା ରାଜ୍ୟର ଋଣ ପରିମାଣ ଥିଲା ୮୭ ହଜାର କୋଟି । ଗତ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଋଣ ପରିମାଣ ରହିଛି ୯୨,୭୫୪ କୋଟି । ଏଥିରେ ଭାରତ ସରକାର ୭୯୫୮ କୋଟି ଋଣ ଦେଇଥିବାବେଳେ ଅନ୍ୟାନ୍ୟ ସୂତ୍ରରୁ ୮୬୯୪ କୋଟି ଓ ନାବାର୍ଡ଼ ଠାରୁ ୧୩,୯୯୮ କୋଟି ଟଙ୍କାର ଋଣ କରାଯାଇଛି । ଏଥିସହ ଖୋଲାବଜାରରୁ ୧୨,୩୦୦ କୋଟି ଟଙ୍କା ଋଣ ହୋଇଛି । ତେବେ ଏଫଆରବିଏମ୍ ସୀମା ଭିତରେ ତାହା ରହିଛି । ମୁଣ୍ଡପିଛା ଋଣ ପରିମାଣ ପରିମାଣ ୨୨ ହଜାର ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟ କରିଛନ୍ତି ।

କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ
କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ -୨୮,୯୪୪ କୋଟି ଟଙ୍କା
କାଳିଆ ଯୋଜନାରେ ୧୯୩୫ କୋଟି
ଫସଲ ଉତ୍ପାଦନ ଦିଗରେ ପରିଚାଳନା ଦଗରେ ୧୬୧୦ କୋଟି
କଫି ମିଶନ ପାଇଁ ୧୦୦ କୋଟି
ଜଳସେଚନ ଓ ଜଳ ବ୍ୟବହାର ଦକ୍ଷତା ପାଇଁ ମୋଟ୍ ୧୪,୪୬୭ କୋଟି
ଇନ୍‌ଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ପାଇଁ ୮୬୦ କୋଟି
ପାର୍ବତୀଗିରି ମେଗା ଉଠା ଜଳସେଚନ ପାଇଁ ୧୨୨୫ କୋଟି
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସମୁଦାୟ ୧୯,୯୫୯ କୋଟି
ଆମ ହସ୍ପିଟାଲ ଯୋଜନା ପାଇଁ ୧୩୧୪ କୋଟି
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମିଶନ ପାଇଁ ୨୯୯୨ କୋଟି
ମିଶନ ଶକ୍ତି ପାଇଁ ୨୭୬୧ କୋଟି
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ସେମାନଙ୍କ ସଂଘକୁ ୧୧୭୯ କୋଟି
ମିଶନଶକ୍ତି ଗୃହ ନିର୍ମାଣ ପାଇଁ ୪୧୭ କୋଟି
ଶିକ୍ଷା କ୍ଷେତ୍ରକୁ ସମୁଦାୟ ୩୩,୮୬୫ କୋଟି
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୧୫୮୩ କୋଟି
ସଡ଼କ, ସେତୁ, ବିମାନବନ୍ଦର ଓ ରେଳବାଇ ବିକାଶ ପାଇଁ ୨୧,୦୦୪ କୋଟି
କେବଳ ସଡ଼କ ବିକାଶ କାର୍ଯ୍ୟକ୍ରମ ପାଇଁ ୬୧୯୪ କୋଟି
ବିଜୁ ଏକ୍ସପ୍ରେସୱେ ପାଇଁ ୧୦୦ କୋଟି
ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି
ରେଳ ପ୍ରକଳ୍ପର ବିକାଶ ପାଇଁ ୭୦୦ କୋଟି
ବେସାମରିକ ବିମାନ ଚଳାଚଳ ପାଇଁ କୋଟି ୩୭୨
ଟ୍ରକ୍ ଟର୍ମିନାଲ୍ ନିର୍ମାଣ ପାଇଁ ୧୩୦ କୋଟି
ପରିବହନ ଡ୍ରାଇଭର,ଶ୍ରମିକ କଲ୍ୟାଣ ପାଇଁ ୨୧ କୋଟି
କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ୧୩୦୫ କୋଟି
ମିହିଳା ଓ ଶିଶୁ ବିକାଶ ପାଇଁ ୫୦୧୫ କୋଟି
ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ୪୬୯୯ କୋଟି
ଅନୁସୂଚିତ ଜାତି,ଜନଜାତି,ଓବିସି,ସଂଖ୍ୟାଲଘୁଙ୍କ ବିକାଶ ପାଇଁ ୩୩,୭୩୧ କୋଟି
ସହରାଞ୍ଚଳ ରୂପାନ୍ତରଣ ପାଇଁ ୧୦,୭୮୧ କୋଟି
ପାଇପ୍ ଯୋଗେ ପାନୀୟ ଜଳ ପାଇଁ ୮ହଜାର କୋଟି
ବିଜୁ ପକ୍କାଘର ଯୋଜନା ପାଇଁ ୧୦୦ କୋଟି

ବଜେଟର ଗୁଣାତ୍ମକ ଦିଗ
ବଜେଟ ଆକାର- ୨.୫୫ ଲକ୍ଷ କୋଟି ଟଙ୍କା (ଜିଏସ୍‌ଡିପିର ୨୭.୫%): ୧୧% ଅଭିବୃଦ୍ଧି
କାର୍ଯ୍ୟକ୍ରମ ବ୍ୟୟ- ୧.୪୦ ଲକ୍ଷ କୋଟି ଟଙ୍କା (ବଜଟେର ୫୫%): ୧୨% ଅଭିବୃଦ୍ଧି
ପୁଞ୍ଜି ବ୍ୟୟ- ୬୩,୧୬୨ କୋଟି ଟଙ୍କା (ଜିଏସ୍‌ଡିପିର ୬.୮%): ୨୨% ଅଭିବୃଦ୍ଧି
ବଳକା ରାଜସ୍ୱ- ୩୭,୦୭୭ କୋଟି ଟଙ୍କା (ଜିଏସ୍‌ଡିପିର ୪%)
ବିତ୍ତୀୟ ନିଅଣ୍ଟ- ୨୭,୭୫୦ କୋଟି ଟଙ୍କା (ଜିଏସ୍‌ଡିପିର ୩%)
ଋଣ ପରିମାଣ- ୧,୨୦,୮୯୬ କୋଟି (ଜିଏସ୍‌ଡିପିର ୧୩.୧%)
ସାମାଜିକ କ୍ଷେତ୍ର- ୯୩,୪୭୮ କୋଟି ଟଙ୍କା (ବଜେଟ୍‌ର ୩୭%)
ଅର୍ଥନୈତିକ କ୍ଷେତ୍ର- ୮୪,୮୦୪ କୋଟି ଟଙ୍କା (ବଜେଟ୍‌ର ୩୩%)
ଉନ୍ନୟନ ବ୍ୟୟ- ୧,୭୮,୨୮୨ କୋଟି ଟଙ୍କା (ବଜେଟ୍‌ର ୭୦%)
ନିଜସ୍ୱ ରାଜସ୍ୱ- ୧,୧୫,୦୦୦ କୋଟି ଟଙ୍କା (ସମୁଦାୟ ରାଜସ୍ୱ ପ୍ରାପ୍ତିର ୫୬%)
ନିଜସ୍ୱ ଟିକସ ରାଜସ୍ୱ- ୫୯,୦୦୦ କୋଟି ଟଙ୍କା (ନିଜସ୍ୱ ଟିକସ/ଜିଏସ୍‌ଡିପି ଅନୁପାତ: ୬.୪%)
ଏଫଆରବିଏମ୍‌- ବଜେଟ ପୁରା ଏଫଆରବିଏମ୍ କମ୍ପ୍ଳିଆଣ୍ଟ