Odia News Portal

୧୪ବର୍ଷ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ରାୟ

ବ୍ରହ୍ମପୁର ସହରରେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଦୀର୍ଘ ୧୪ ବର୍ଷର ବିଚାରଣା ପରେ ସୋମବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଆଧାରରେ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ କାଳିଆ ସେଠୀ, ପି.କୃଷ୍ଣଚନ୍ଦ୍ର ପାତ୍ର, ପିଙ୍କୁ ପାତ୍ର, ସଞ୍ଜୟ ପ୍ରଧାନ ଓ ସନିଆ ଗୌଡ଼। ୨୦୧୦ ମସିହାରେ ଧୀର ସାମଲଙ୍କୁ ପୂର୍ବଶତ୍ରୁତାରୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏହି ମାମଲାର ବିଚାରଣା ବେଳେ ୨୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଜାମିନରେ ଥିବା ଉପରୋକ୍ତ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ। ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜିଲା ଜଜ୍‌ ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର (ପିପି) ତ୍ରିଲୋଚନ ପରିଡ଼ା ମୋକଦ୍ଦମା ପରିଚାଳନା କରୁଥିଲେ।