ହୀରାକୁଦ ପ୍ରସଙ୍ଗରେ ପୂର୍ବ ସରକାରକୁ ତେରେଛା ତୀର ମାରିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭା ପ୍ରଶ୍ନକାଳ ବେଳେ, ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ ହୀରାକୁଦ ବନ୍ଧ ନେଇ ପ୍ରଶ୍ନ କରିଥିଲେ । ଆଉ କହିଥିଲେ, ହୀରାକୁଦରେ ସୁକାସୋଢା ଶୁଖିଗଲାଣି, ତେଣୁ କିଛି ବ୍ୟାରେଜ୍ କରିବା ପାଇଁ ସରକାର ଯୋଜନା କରିଛନ୍ତି କି?
ଯାହାର ଉତ୍ତର ଦେଇ ପୂର୍ବ ସରକାରକୁ ତେରେଛା ତୀର ମାରିଥିଲେ ମୁକେଶ ମହାଲିଙ୍ଗ । ସିଧା ସିଧା କହିଥିଲେ ଯେ, ଛତିଶଗଡରେ ଯେଉଁ ଡ୍ୟାମ ହୋଇଛି, ତାକୁ ନେଇ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି । ମୁଁ କିନ୍ତୁ ୨୪ ବର୍ଷର ପ୍ରସଙ୍ଗ ଦୋହରାଇବାକୁ ଚାହୁଁନି । କିନ୍ତୁ ଆପଣମାନେ ୨୪ ବର୍ଷ ଭିତରେ କେତୋଟି ଡ୍ୟାମ ତିଆରି କରିଥିଲେ? ଥରେ ନିଜକୁ ପଚାରନ୍ତୁ । ୮ ମାସ ଭିତରେ ଅନେକ ପ୍ରକଳ୍ପ ପାଇଁ ଯୋଜନା କରି, ଡିପିଆର ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ବିଧାନସଭାରେ ଘୋଷଣା କରି ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ୩୧ଟି ସର୍ବବୃହତ ଏବଂ ମଧ୍ୟମ, ୨୭ଟି ବ୍ୟାରେଜ୍, ୭୨ଟି ନଦୀ ଗର୍ଭ ଜଳାଶୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୫୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଚି । ଖୁବଶୀଘ୍ର ଏହାର ଡିପିଆର୍ କାର୍ୟ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।