Odia News Portal

ହତ୍ୟା ନୁହେଁ ଆତ୍ମହତ୍ୟା କରିଛି ନାବାଳିକା,୬ ଗିରଫ

ଅନର କିଲିଂ ଆଶଙ୍କାକୁ ଖଣ୍ଡନ କରିଛନ୍ତି ପୁରୀ ଏସଡିପିଓ

ପୁରୀ: ତଳଜଙ୍ଗ ନଈକୂଳ ସାହିରେ ନାବାଳିକା ମୃତ୍ୟୁ ଘଟଣା ଉପରୁ ହଟିଛି ପରଦା | ପୁରୀ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡୁ ଏହି ମାମଲା ଉପରୁ ପରଦା ଉଠାଇଛନ୍ତି । ନାବାଳିକାର ହତ୍ୟା ନୁହେଁ ସେ ନିଜେ ଆତ୍ମହତ୍ୟା କରିଥିବା କହିଛନ୍ତି ଏସଡିପିଓ । ସେପଟେ ଯୁବତୀ ଜଣକ ଆତ୍ମହତ୍ୟା କରିବା ପରେ ପରିବାର ଲୋକେ ପୋଲିସକୁ ନଜଣାଇ ତରବରିଆ ଭାବେ ମୃତଦେହ ପୋଡ଼ି ଦେଇଥିବାରୁ ମାମଲା ରୁଜୁ କରିଥିଲା ପୁରୀ ପୋଲିସ । ତେବେ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ନାବାଳିକାର ୩ ଭାଇ ଓ ୩ ଦାଦା । ତେବେ ପ୍ରାଥମିକ ତଦନ୍ତରୁ ଅନର କିଲିଂ ଆଶଙ୍କାକୁ ଖଣ୍ଡନ କରିଛନ୍ତି ପୁରୀ ଏସଡିପିଓ।

ନାବାଳିକା ଆତ୍ମହତ୍ୟା କରିବା ପରେ ତାଙ୍କୁ ପୋଡି ଦେଇଥିବା ଅଭିଯୋଗରେ ଦାଦା ଓ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପ୍ରମାଣ ପାଇଁ ନାବାଳିକାର ଫୋନ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଭୁବନେଶ୍ୱର ଫରେନସିକ ଲ୍ୟାବକୁ ପଠାଯାଇଛି । ତେବେ ଏହି ଘଟଣା ଅନରକିଲିଂ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ,ଯୁବତୀଜଣକ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ପରେ ଦୁହେଁ ଫେରାର ହୋଇ ଯାଇଥିଲେ। ଥାନାରେ ଏତଲା ଦିଆଯିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଯୁବତୀଙ୍କୁ ମାରପିଟ୍ କରିବା ସହ ନିର୍ଯାତନା ଦେଉଥିବା ନେଇ ଗାଁ ଲୋକ ଅଭିଯୋଗ କରିଥିଲେ। ଯାହା ପରେ ଶନିବାର ପରିବାର ଲୋକ ଝିଅକୁ ପୋଡ଼ି ତରବରିଆ ଭାବେ ପୋତି ଦେଇଥିବା ଜଣାଯାଇଛି। ସାଇଣ୍ଟିଫିକ ଟିମ୍‌ ସହ ଚନ୍ଦନପୁର ପୋଲିସ ଘଟଣାର ତନାଘନା ଚଳାଇଥିବା ଏସଡିପିଓ କହିଛନ୍ତି । ନାବାଳିକାର ଶବକୁ ପୋଡି ଏକ ଜମିରେ ପୋତି ଦିଆଯାଇଥିଲା । ଜମି ମାଲିକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।