Odia News Portal

ସୁନ୍ଦରଗଡ ବେଆଇନ କୋଇଲା ଖଣି ଉପରେ ଘନ ଘନ ରେଡ୍,ଜବତ ହେଲାଣି ୨୫୦ ଟନ୍‌ରୁ ଅଧିକ କଳାହୀରା

ସରକାରଙ୍କ ଟାର୍ଗେଟରେ କୋଇଲା ମାଫିଆ । ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଉପରେ ଚାଲିଛି ଘନ ଘନ ଚଢ଼ାଉ । ପ୍ରଶାସନର ଘନ ଘନ ଚଢାଉରେ ଛତ୍ର ଭଙ୍ଗ ଦେଲେଣି କଳାହୀରାର କଳା କାରବାର ଚଳାଉଥିବା ଏ ମାଫିଆ ମାନେ । ଏବେ ସୁଦ୍ଧା ୨ଶହ ୫୦ ଟନ୍‌ରୁ ଅଧିକ କୋଇଲା ଜବତ ହେଲାଣି । ଘଟଣାସ୍ଥଳରେ ଖଣି ବିଭାଗର ଡେପୁଟି ଡାଇରେକ୍ଟର ତଦନ୍ତ କରିବା ସହ ଜଙ୍ଗଲରେ ଗଚ୍ଛିତ ଚୋରି କୋଇଲାକୁ ଜବତ କରିଛନ୍ତି । ମଙ୍ଗଳବାର ହେମଗିରି ଅଞ୍ଚଳରେ ବେଆଇନ କୋଇଲା ଖଣି ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ମିଳିତ ଟିମ୍‌ । ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ନେତୃତ୍ବରେ ପୋଲିସ ଓ ବନବିଭାଗର ଏକ ମିଳିତ ଟିମ୍‌ ହେମିଗିରି ଥାନା ରତନସରା,ଭୋଗରାକଛାର ଓ ଲତାପାଣି ଅଞ୍ଚଳରେ ଚଢାଉ କରି ୧୦ରୁ ଅଧିକ ବେଆଇନ ଖଣି ସିଜ୍‌ କରିବା ସହ କୋଇଲା ଜବତ କରିଥିଲା  । 

ଗତ ୪ ତାରିଖରେ ତେଲେଣ୍ଡିହି ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ସହ ୧୪୪ ଟନ୍‌ କୋଇଲା ଜବତ ହୋଇଥିଲା । ବୁଧବାର ପୁଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲରେ ବେଆଇନ୍‌ କୋଇଲା ଖଣି ଉପରେ ହୋଇଛି ଚଢ଼ାଉ । ଅନେକ ଦିନ ଧରି  ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ୍‌ କୋଇଲା ଖଣି । ବର୍ଷ ବର୍ଷ ଧରି ବେଧଡ଼କ କୋଇଲା ଲୁଟୁଥିଲେ ମାଫିଆ । ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ  ଜଙ୍ଗଲ ଭିତରେ ଖୋଜି ଖୋଜି ଖଣି ଭିତରେ ପଶିଥିଲେ ପୋଲିସ । । ଜଙ୍ଗଲ ଭିତରେ  ବେଆଇନ୍‌ ଇଟାଭାଟି କରି ସେଥିରେ ଏହି କୋଇଲା  ବ୍ୟବହାର କରୁଥିଲେ ମାଫିଆ । କିଛି ଲୋକଙ୍କୁ ଏହି ବେଆଇନ ଇଟାଭାଟିରେ ନିୟୋଜିତ କରୁଥିଲେ । ଏମାନଙ୍କ ସର୍ଦ୍ଦାର କିଏ ? କାହାର ଏହି ଇଟାଭାଟି ? କିଏ ଜଙ୍ଗଲ ଭିତରେ ବେଆଇନ୍‌ ଇଟାଭାଟି କରିଥିଲେ ? କିଏ ଖୋଳୁଥିଲେ ଟନ୍‌ ଟନ୍‌ କୋଇଲା ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଏବେ ପ୍ରମାଣ ଖୋଜୁଛି ତଦନ୍ତକାରୀ ଟିମ୍‌ 

ବର୍ଷ ବର୍ଷ ଧରି ସଂରକ୍ଷିତ ଜଙ୍ଗଲ ଭିତରେ ଚାଲିଥିଲା ଏହି ବେଆଇନ୍‌ କୋଇଲା ଖଣି । ବେଧଡ଼କ କୋଇଲା ଖୋଳି ମୋଟା ଅଙ୍କର ମୁନାଫା କମାଉଥିଲେ ମାଫିଆ । ଆଉ ପଡ଼ୋଶୀ ଛତିଶଗଡ଼ ସହ ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଥିଲା ଏହି କୋଇଲା । ଏକଥା କହି ଜାଣିନଥିଲେ ସେକଥା ନୁହେଁ । ସବୁ ଜାଣି ବି ଚୁପ୍‌ ଥିଲେ ସମସ୍ତେ । କାରଣ ଏହି ବେଆଇନ୍‌ କୋଇଲା ଖଣିରୁ  ସମସ୍ତଙ୍କ ପକେଟ୍‌ ଗରମ ହେଉଥିଲା । କାରଣ ସଂରକ୍ଷିତ ଜଙ୍ଗଲରେ ବେଆଇନ୍‌ କୋଇଲା ଖଣି ନେଇ  ୨୦୨୪ରେ ବନ ଅଧିକାରୀ ହେମଗିରିର ତତ୍‌କାଳୀନ ତହସିଲଦାରଙ୍କୁ ଚିଠି ଲେଖିଥିଲେ । ଯୋଉ ଚିଠିକୁ ଚାପି ଦେଇଥିଲେ ତତ୍‌କାଳୀନ ତହସିଲଦାର ଲବଳେନ୍ଦୁ ମହାନ୍ତି । କେବଳ ସରକାରୀ ଅଧିକାରୀ ନୁହନ୍ତି ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଏଥିରୁ ଫାଇଦା ଉଠାଉଥିଲେ । ସମସ୍ତଙ୍କ ମିଲିଭଗତରେ ଚାଲିଥିଲା କୋଇଲା ଲୁଟ୍‌ ।ଏବେ ଯେତେବେଳେ କୋଇଲା କେଳେଙ୍କାରୀ ସାମ୍ନାକୁ ଆସିଛି ସେତେବେଳେ ପରସ୍ପର ଉପରେ ଦୋଷ ଲଦି ଖସିବାକୁ ଚାଲିଛି ଚେଷ୍ଟା ।