ସାଧାରଣ ନିର୍ବାଚନକୁ ଆସି ୬ ମାସ ହେଲାଣି, ହେଲେ ଏଯାଏଁ ସରକାରୀ କ୍ୱାର୍ଟର ଛାଡିନାହାଁନ୍ତି ପୂର୍ବତନ ବିଧାୟକ । ରାଜ୍ୟର ପ୍ରାୟ ୧୪ ଜଣ ପୂର୍ବତନ ବିଧାୟକ ଏବେ ବି ସରକାରୀ କ୍ୱାର୍ଟରରେ ରହୁଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଠିଛି ପ୍ରଶ୍ନ । ବାଲେଶ୍ୱର ବିଜେପି ବିଧାୟକ ମାନସ କୁମାର ଦତ୍ତ ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ମାଗିଥିଲେ । ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ମୁତାବକ, ରାଜ୍ୟର ଏବେ ବି ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟରରେ ରହୁଛନ୍ତି । ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଏ, ସାଲୁଗା ପ୍ରଧାନ, ଶଙ୍କର ଓରାମ୍, ପ୍ରୀତିରଞ୍ଜନ ଘଡେଇ, ସ୍ୱଗତଃ ବେଦପ୍ରକାଶ ଅଗ୍ରଓ୍ୱାଲ, କିଶୋର ତରାଇ, ସୁବାସ ପାଣିଗ୍ରାହୀ ଏବଂ ଅଳକା ମହାନ୍ତି ଏଯାଏଁ କ୍ୱାର୍ଟର ଛାଡିନାହାଁନ୍ତି । ଏହାବାଦ୍ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କ୍ୱାର୍ଟରରେ ରହିବା ପାଇଁ ଆବେଦନ କରିଛନ୍ତି ବୋଲି ନିଜର ଉତ୍ତରରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୂଚନାଯୋଗ୍ୟ ଯେ, ଅନେକ ସମୟରେ ବିଧାୟକଙ୍କ କ୍ୱାର୍ଟରକୁ ନେଇ ଚର୍ଚ୍ଚା ହୁଏ । ଏବେ ବି ଅନେକ ନୂଆ ବିଧାୟକ ସରକାରୀ କ୍ୱାର୍ଟର ନପାଇ ରାଜ୍ୟ ଅତିଥି ଭବନରେ ରହୁଛନ୍ତି, ନଚେତ୍ ପରିବାର ସହ ହୋଟେଲ୍ ବୁକ୍ କରି ରହୁଥିବା ଖବର ଆସୁଛି । ହେଲେ ଏପଟେ କିନ୍ତୁ କ୍ୱାର୍ଟର ଛାଡୁନାହାଁନ୍ତି ପୂର୍ବତନ ବିଧାୟକ ।