Odia News Portal

ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା

ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା । ଆସନ୍ତକାଲି ହେବାକୁ ଥିବା ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି । ବନ୍ଦ ପ୍ରତ୍ୟାହାର ନେଇ ପ୍ରେସମିଟ୍‌ରେ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସୂଚନା । ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ବନ୍ଦ ପ୍ରତ୍ୟାହୃତ । ଭରତପୁର ଘଟଣାକୁ ନେଇ ଭୁବନେଶ୍ବରରେ ସକାଳ 6 ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଡାକରା ଦେଇଥିଲା ବିଜୁ ଜନତା ଦଳ ।

ସେପଟେ ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଭରତପୁର ଘଟଣାର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା । 

ସରକାରଙ୍କ ପକ୍ଷରୁ କୁହାଯାଇଛି ମହିଳା ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଯତ୍ନବାନ ଅଛନ୍ତି। ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କେସ୍‌  କରାଯାଇଛି । ସଂପୃକ୍ତ ଯୁବକ ମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଆଇନ ଅନୁଯାୟୀ ଦୋଷୀସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି।