ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ ବୃଦ୍ଧା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ସୈରେନ୍ଦ୍ରି ଜୀବନ୍ତ ଦଗ୍ଧ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ସମ୍ପତ୍ତି ପାଇଁ ବୃଦ୍ଧା ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି। ଆଜି ଅଭିଯୁକ୍ତମାନଙ୍କର କ୍ରାଇନ୍ ସିନ୍ ରିକ୍ରିଏସନ୍ କରିବ ପୁଲିସ।
ସେହ୍ନଲତା ଦୀକ୍ଷିତ ଓ ତାଙ୍କ ଝିଅ ଘରେ ଥିବାବେଳେ ଜଗନ୍ନାଥ ଓ ତାଙ୍କ ପୁଅ ଉଭୟଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ପରେ ଏହି ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଘରେ ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇଦେଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ବୃଦ୍ଧା ସ୍ନେହଲତା ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମା’ଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସମ୍ପତ୍ତି ପାଇଁ ମା’ ଓ ଭଉଣୀକୁ ଭାଇ ଜଗନ୍ନାଥ ହତ୍ୟା କରିଥିବା ସ୍ନେହଲତାଙ୍କ ସାନ ଝିଅ ଅଭିଯୋଗ ଆଣିଥିଲେ। ପୁଲିସ ଏହି ଘଟଣାରେ ବୃଦ୍ଧାଙ୍କ ପୁଅ ସହ ପରିବାରର ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ପରେ ବୃଦ୍ଧାଙ୍କ ପୁଅ ଓ ନାତିକୁ ଗିରଫ କରିଥିଲା ପୁଲିସ।
ମୃତା ବୃଦ୍ଧା ସ୍ନେହଲତାଙ୍କର ୪ ଝିଅ ଓ ଗୋଟିଏ ପୁଅ ଥିଲେ। ପୂର୍ବରୁ ୨ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଗତକାଲି ନିଆଁରେ ପୋଡ଼ି ହୋଇ ଆଉ ଏକ ଝିଅର ମୃତ୍ୟୁ ଘଟିଛି। ସ୍ନେହଲତା ଓ ତାଙ୍କ ଝିଅ ସୈରେନ୍ଦ୍ରିଙ୍କ ସହ ମହଲରେ ରହୁଥିବା ବେଳେ ତାଙ୍କ ପୁଅ ପରିବାର ସହ ତଳ ମହଲାରେ ରହୁଥିଲେ।