Odia News Portal

ସଂପୂର୍ଣ୍ଣ ବନ୍ଦ ହେବ କଟନୀ ଛଟନୀ’

ଏଥର ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କରାଯିବ ଚାଷୀ ସମାବେଶ । ଡିସେମ୍ବର ୮ ତାରିଖରେ ବରଗଡ଼ ସୋହେଲାରେ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮ଶହ ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଧାନକିଣା ଆରମ୍ଭ ହେବ । ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଆସନ୍ତା ୨୦ ତାରିଖରୁ ନଭେମ୍ବର ୮ ତାରିଖ ମଧ୍ୟରେ ଧାନ ବିକିଥିବା ଚାଷୀଙ୍କୁ ୮ ତାରିଖରେ ୮୦୦ ଟଙ୍କା ଲେଖାଏଁ ଇନପୁଟ ସବିସିଡି ପ୍ରଦାନ କରାଯିବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ୨୩୦୦ ଟଙ୍କା ଯେଉଁ ଆକାଉଣ୍ଟକୁ ଯିବ ସେହି ଆକାଉଣ୍ଟକୁ ୮୦୦ ଟଙ୍କା ଯିବ ନାହିଁ । ଏହି ୮୦୦ ଟଙ୍କା ପାଇଁ ଅଲଗା ଆକାଉଣ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକନ ଅବଧି ଗୋଟେ ମାସ ରହିବ । ଏହାକୁ ଆଉ ୭ ଦିନ ବଢାଇବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।