Odia News Portal

ଶ୍ରଦ୍ଧା ଓ ପାଣ୍ଡିଆନଙ୍କ କବଜାରେ ବିଜେଡି: ନବୀନ ଅସହାୟ, ଅନିଶ୍ଚିତତାରେ କର୍ମୀ ଓ ନେତା

ବିଜୁ ଜନତା ଦଳ ତିଷ୍ଠିବ ତ? ନା ଭୁଶୁଡ଼ି ପଡ଼ିବ? ନିର୍ବାଚନୀ ବିପର୍ଯ୍ୟୟର ଏପର୍ଯ୍ୟନ୍ତ ସମୀକ୍ଷା ହେଲାନି କି ଦଳୀୟ କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇବାକୁ ପଦକ୍ଷେପ ବି ନିଆଗଲାନି । ଓଲଟା ଦଳ ଯେଉଁମାନଙ୍କ ପାଇଁ ବିପର୍ଯ୍ୟସ୍ତ ହେଲା ଏବେ ସେମାନେ ପୁଣିଥରେ ସକ୍ରିୟ ହୋଇ ଉଠିଥିବାରୁ ଏଭଳି ପ୍ରଶ୍ନ ବିଜେଡି ନେତା-କର୍ମୀମାନଙ୍କୁ ଆଶଙ୍କିତ କଲାଣି । ୨୪ବର୍ଷର କ୍ଷମତାସୀନ ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ବିଜେଡିର ଆତ୍ମଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଏବେ ଦିନରାତି ନବୀନ ନିବାସରେ ରହି ନିଜର ବାନ୍ଧବୀ ଶ୍ରଦ୍ଧାଙ୍କ ସହ ମିଶି ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡିକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେଇ ଯାଇଥିବା ଚର୍ଚ୍ଚା ହେଉଛି । ଆଉ ସବୁ ଜାଣି ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବୟସାଧିକ ଯୋଗୁ ହେଉ ଅବା ଅନ୍ୟ କିଛି କାରଣ ପାଇଁ ନିରବ ରହୁଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରାଜ୍ୟରେ ୨୪ବର୍ଷ ଧରି ଶାସନରେ ଥିବା ବିଜେଡିର ବିପର୍ଯ୍ୟୟର ମୁଖ୍ୟ ଖଳନାୟକ ତାମିଲନାଡ଼ୁ ଜନ୍ମିତ ଭିକେ ପାଣ୍ଡିଆନ ଏବେ ଅସ୍ଥାୟୀ ଭାବେ ନବୀନ ନିବାସକୁ ସିଫ୍ଟ ହୋଇଯାଇଛନ୍ତି । ବିଜେଡିର ବିପର୍ଯ୍ୟୟ ପରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ଦେଖି ପାଣ୍ଡିଆନ ଗତ ୯ତାରିଖରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ଆଉ ସେବେଠୁ ସେ ତାଙ୍କ ୟୁନିଟ-୬ସ୍ଥିତ ସରକାରୀ ବାସଭବନରେ ନରହି ନବୀନ ନିବାସରେ ଫୁଲଟାଇମ୍ ରହୁଛନ୍ତି । ଅବଶ୍ୟ ଖବର ଲେଖା ହେବାବେଳକୁ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ରହିଥିବା ଜଣାପଡ଼ିଛି । ନବୀନ ନିବାସ ଭିତରେ ନବୀନଙ୍କ ଫିଜିଓଥେରାପିଷ୍ଟ ମହାରାଷ୍ଟ୍ରର ଯୁବତୀ ‘ଶ୍ରଦ୍ଧା’ ମଧ୍ୟ ରହୁଛନ୍ତି । ବାର୍ଦ୍ଧକ୍ୟଜନିତ ସ୍ଥିତି ପାଇଁ ଶ୍ରଦ୍ଧାଙ୍କ ଉପରେ ନବୀନ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ତା’ର ଭରପୂର ଫାଇଦା  ଶ୍ରଦ୍ଧା ନେଉଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

ନବୀନ ନିବାସ ସୂତ୍ର ଅନୁସାରେ, ଉଭୟ ଶ୍ରଦ୍ଧା-ପାଣ୍ଡିଆନ ଯୋଡ଼ି ଏବେ ନବୀନଙ୍କୁ ଏଭଳି କରାୟତ କରିଛନ୍ତି ଯେ ସେମାନଙ୍କ ବିନା ଦଳ,ସଂଗଠନ ଏପରିକି ବ୍ୟକ୍ତିଗତ କାର୍ଯ୍ୟ ସଂକ୍ରାନ୍ତରେ ନବୀନ ନିଷ୍ପତ୍ତି ନେବା ସମ୍ଭାବନା କ୍ଷୀଣ । ବିଜେଡିର ଏଭଳି ଲଜ୍ଜାଜନକ ନିର୍ବାଚନୀ ପରାଜୟ ପାଇଁ ପାଣ୍ଡିଆନ ଓ ତାଙ୍କ ତୋଷାମଦକାରୀ ଟିମ୍ ଦାୟୀ ବୋଲି ସମସ୍ତେ ଅନୁଭବ କରିଥିଲେ ମଧ୍ୟ ନବୀନ ଗଣମାଧ୍ୟମ ସାମ୍ନାକୁ ଆସି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଥିଲେ । ଚର୍ଚ୍ଚା ହେଉଛି, ଶ୍ରଦ୍ଧାଙ୍କ ଚାପରେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଥିଲେ ନବୀନ । ଆଉ ଏହି କ୍ଲିନଚିଟ ଘଟଣାର ଦିନକ ପରେ ପ୍ରାୟୋଜିତ ଢଙ୍ଗରେ ପାଣ୍ଡିଆନ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଶ୍ରଦ୍ଧାଙ୍କ ପ୍ରତ୍ୟକ୍ଷ ସହଯୋଗରେ ବିଜେଡି ସଂଗଠନର ଲଗାମକୁ ନିଜ ହାତରେ ରଖି ମନମୁତାବକ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି ।

ବିଜେଡି କାହିଁକି ଓ କେମିତି ପାଣ୍ଡିଆନଙ୍କ କବଜାରେ ରହିଛି, କିଛି ପ୍ରମୁଖ ଘଟଣାକ୍ରମ ଏହାର ସ୍ପଷ୍ଟ ଆଭାସ ଦେଉଛି ।

୧- ୨୭ବର୍ଷର ସଫଳ ଆଂଚଳିକ ଦଳ ବିଜେଡି କ୍ରମାଗତ ୨୪ବର୍ଷ ଧରି ଓଡ଼ିଶାକୁ ଶାସନ କଲା । ନିର୍ବାଚନରେ ଦଳର ଏତେବଡ଼ ବିପର୍ଯ୍ୟୟ ହେବ ବୋଲି କେହି ଆକଳନ ବି କରିନଥିଲେ । ବିଜେଡିର ବରିଷ୍ଠ ନେତାମାନେ ଦଳଦଳ ହୋଇ ନବୀନ ନିବାସ ଯାଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ଦାବି ରଖିଥିଲେ । ଦଳୀୟସ୍ତରରେ ଏକ କମିଟି ଗଠନ କରି ପରାଜୟର ସମୀକ୍ଷା କରିବା ପାଇଁ ଦଳୀୟ ନେତାମାନେ ଏକାଧିବାର କହିଲେ । କିନ୍ତୁ ନିର୍ବାଚନ ଫଳାଫଳ ଆସିବାର ୧୫ଦିନ ବିତିଯାଇଥିଲେ ମଧ୍ୟ ନା କମିଟି ଗଠନ ହେଲା ନା ପରାଜୟର ସମୀକ୍ଷା ହେଲା । ପାଣ୍ଡିଆନ ଓ ଶ୍ରଦ୍ଧାଙ୍କ ଚାପରେ ନବୀନ ମଧ୍ୟ ଏହି ସମୀକ୍ଷା ପାଇଁ ଆଗ୍ରହ ଦେଖାଇଲେ ନାହିଁ ବୋଲି ଚର୍ଚ୍ଚା ହେଉଛି । ସମୀକ୍ଷା ହେଲେ ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଓ ରାଜନୀତିକ ମହତ୍ୱାକାଂକ୍ଷା ପାଇଁ ଦଳ ହାରିଲା ବୋଲି ନିଶ୍ଚିତ ସନ୍ଦେଶ ଆସିବ । ଦଳଠୁ ପ୍ରାୟ ୯ଲକ୍ଷ ଭୋଟର ମୁହଁ ଫେରାଇଛନ୍ତି ଓ ଦଳର ୬୧ଟି ସିଟ୍ ହ୍ରାସ ପାଇଛି । ଦଳ ଲଜ୍ଜାଜନକ ଢଙ୍ଗରେ ଲୋକସଭାରେ ପୋଛି ହୋଇଯାଇଛି । ଏତେ ବିପର୍ଯ୍ୟୟ ସତ୍ତ୍ୱେ ସମୀକ୍ଷା କାହିଁକି ହେଉନି ସେନେଇ ଦଳୀୟ ନେତାମାନେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି ।

୨- ବିଜେଡି କ୍ଷମତାରୁ ଯିବାପରେ ଜିଲ୍ଲା,ବ୍ଲକ ଓ ପଂଚାୟତସ୍ତରରେ ଦଳ କିଭଳି ନିଜର ସଂଗଠନକୁ ସୁଦୃଢ଼ କରିପାରିବ ତଥା କର୍ମୀମାନଙ୍କ ମନୋବଳ ଓ ଉତ୍ସାହ ବୃଦ୍ଧି କରିହେବ ସେ ନେଇ ଦଳର ବରିଷ୍ଠ ନେତାମାନେ ବାରମ୍ବାର ସଂଘବଦ୍ଧ ହୋଇ ନବୀନଙ୍କୁ ଭେଟିଛନ୍ତି । ଆଉ ଦଳୀୟ ନେତାମାନଙ୍କ କଥା ଶୁଣିବା ପରିବର୍ତ୍ତେ ଯାହା କହିବାର ଅଛି ଲିଖିତ ଭାବେ ଦେବାକୁ ପରାମର୍ଶ ଦେଉଛନ୍ତି । ଆଉ ନେତାମାନେ ଦେଉଥିବା ସେହି କାଗଜଲେଖାକୁ ପାଣ୍ଡିଆନଙ୍କ ନିକଟକୁ ପଠାଇ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

୩- ନବୀନଙ୍କ ନିରବତା ଓ ଏକାନ୍ତବାସର ଫାଇଦା ଉଠାଇ ପାଣ୍ଡିଆନ ନିଜର ହାତଗଣତି ତୋଷାମଦକାରୀ ଟିମ୍ ମେମ୍ବରଙ୍କୁ ଧରି ନିର୍ବାଚନ ପରିଚାଳନା କଲେ । ଆଉ ବିଜେଡିକୁ ଅପ୍ରତ୍ୟାଶିତ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା ତଥା ଦଳର ୨୪ବର୍ଷର ଶାସନର  ଅନ୍ତ ଘଟିଲା । ଏହାସତ୍ତ୍ୱେ ନବୀନ ଗଣମାଧ୍ୟମ ଆଗକୁ ଆସି ପାଣ୍ଡିଆନଙ୍କ ପ୍ରଂଶସା କଲେ । ଦଳର ବିପର୍ଯ୍ୟୟ ପାଇଁ ସମସ୍ତେ ପାଣ୍ଡିଆନଙ୍କୁ ଦାୟୀ କରୁଥିବାବେଳେ ନିର୍ବାଚନ ଫଳାଫଳର ମାତ୍ର ୪ଦିନ ଭିତରେ ନବୀନ ତାଙ୍କୁ କ୍ଲିନଚିଟ୍ ଦେବା ହିଁ ତାଙ୍କର ବିବଶତାକୁ ପଦାରେ ପକାଇ ଦେଲା । ନବୀନଙ୍କ ଏଭଳି ଆଭିମୁଖ୍ୟ ତୃଣମୂଳସ୍ତରର କର୍ମୀଠୁ ଆରମ୍ଭ ରାଜ୍ୟସ୍ତରୀୟ ନେତାମାନଙ୍କୁ ନିରାଶ କଲା । ତା’ଛଡ଼ା ପାଣ୍ଡିଆନ ନିଜ ବାସଭବନ ଛାଡ଼ି ନବୀନ ନିବାସକୁ ନିଜ ସ୍ଥାୟୀ ଠିକଣା କରିବା ମଧ୍ୟ ଦଳୀୟ ନେତାମାନଙ୍କୁ ଆଶ୍ଚର୍ଯ୍ୟ କଲା । ଦଳ ଏବେ ଆଉ ନବୀନଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ବିଜେଡି ମହଲରେ ସ୍ପଷ୍ଟ ସନ୍ଦେଶ ଦିଆଗଲା ।

୪- ଆସନ୍ତାକାଲି ଅର୍ଥାତ୍ ୧୯ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ।  ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳ ନେତା ଭାବେ ଦଳର ବିଧାୟକମାନେ ଚୟନ କରିବେ । ନବୀନ ପ୍ରଥମଥର ପାଇଁ ବିରୋଧୀ ଦଳ ନେତା ଭୂମିକା ତୁଲାଇବେ । ତେବେ ନବୀନଙ୍କୁ ବିରୋଧୀ ଦଳ ନେତା କରିବା ଆଳରେ ପାଣ୍ଡିଆନ ପୁଣିଥରେ ସକ୍ରିୟ ଭୂମିକା ନେଇ ବିଜେଡି ସଂଗଠନ ସମ୍ପାଦକ ତଥା ପାଣ୍ଡିଆନଙ୍କ ‘କ୍ରୀତଦାସ’ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମାଧ୍ୟମରେ ଗୋଟି ଚଳାଇବା ଆରମ୍ଭ କରିଥିବା ଜଣାପଡ଼ିଛି । ବିରୋଧୀ ଦଳ ଉପନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ଭାବେ ପ୍ରତାପ କେଶରୀ ଦେବଙ୍କୁ ଚୟନ କରାଯିବାକୁ ପାଣ୍ଡିଆନ ଜାରି କରିଥିବା ଫତୱାକୁ କାର୍ଯ୍ୟକାରୀ କରିବା ପାଇଁ  ବବି ପୁଣିଥରେ ଫୁଲ ଦମରେ ଲାଗି ପଡ଼ିଛନ୍ତି । ଏହା ମାଧ୍ୟମରେ ବିଜେଡି ପୁଣିଥରେ ସେହି କୋଟୋରୀ ପାଖରେ ରହିଛି ବୋଲି ଦଳୀୟ ମହଲରେ ସନ୍ଦେଶ ଦେବାକୁ ପ୍ରୟାସ ହେଉଛି ।

୫- ବିଜେଡି ମାତ୍ର ୨ବର୍ଷ ତଳେ ରାଜ୍ୟର ୮୦ ପ୍ରତିଶତ ପଂଚାୟତ ସମିତି ଓ ଶତ ପ୍ରତିଶତ ଜିଲ୍ଲା ପରିଷଦକୁ ଦଖଲ କରିଥିଲା । ପୌର ନିର୍ବାଚନରେ ମଧ୍ୟ ଦଳକୁ ଆଖିଦୃଶିଆ ସଫଳତା ମିଳିଥିଲା । ତେବେ ଚଳିତ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ସମସ୍ତେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛନ୍ତି । ରାଜ୍ୟରେ ବିଜେପି ସରକାର ଆଜିଠୁ ନିଜର କାର୍ଯ୍ୟକ୍ରମ ଜୋରଦାର କଲାନି । କିନ୍ତୁ ବିଜେଡିର ଜିଲ୍ଲା,ବ୍ଲକ ଓ ପଂଚାୟତସ୍ତରର କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି ପାଇଁ ଦଳର ସୁପ୍ରିମୋ କିମ୍ବା ନେତୃତ୍ୱ କିଛି ପଦକ୍ଷେପ ନେଉନାହାନ୍ତି । ଏପରିକି ସେମାନେ କିଭଳି ପୁଣିଥରେ ଅଧିକ ଜୋସରେ ସଂଗଠନ ପାଇଁ କାର୍ଯ୍ୟ କରିବେ ସେଦିଗରେ ମଧ୍ୟ ପ୍ରୟାସ ହେଉନି । ଏପରିକି ଦଳର ଯେଉଁ ବିଧାୟକମାନେ ଜିତିଛନ୍ତି ସେମାନେ ନବୀନ ପଟ୍ଟନାୟକଙ୍କ ଏଭଳି ମତିଗତି ଦେଖି ଏବେଠୁ ବିଜେପିକୁ ଡେଇଁବା ପାଇଁ ବିକଳ୍ପ ଖୋଲା ରଖିଥିବା ଜଣାପଡ଼ିଛି । ବିଜେଡି ପାଖରେ ଏକ ହଜାର କୋଟି ଟଙ୍କାରୁ ଅଧିକ ପାଣ୍ଠି ଥିଲେ ମଧ୍ୟ ଦଳ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଟଙ୍କାଟିଏ ବାହାର ନକରିବା ବି ଶ୍ରଦ୍ଧା- ପାଣ୍ଡିଆନ ଏବଂ ବବିଙ୍କ ଅସାଧୁ ମେଂଟ ତଥା ଭୂମିକାକୁ ପଦାରେ ପକାଇ ଦେଇଛି ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

ବିଜେଡିର ଆତ୍ମଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଓ ରାଜନୀତିକ ମହତ୍ୱାକାଂକ୍ଷା,  ତାଙ୍କ ଟିମ୍ ସଦସ୍ୟ(ବବି, ଡିଏସ କୁଟ୍ଟେ, ମାନସ ମଙ୍ଗରାଜ, ଆଶୀଷ ସିଂ) ଙ୍କର ଅହଙ୍କାର ଓ ଦୁର୍ବ୍ୟବହାର, ଶ୍ରଦ୍ଧାଙ୍କ ମାଧ୍ୟମରେ ନବୀନଙ୍କୁ କରାୟତ୍ତ,କେତେକ ସ୍ଥାନରେ ବିଜେଡି ପ୍ରାର୍ଥୀଙ୍କୁ ହରାଇବାକୁ ଏହି ଟିମ୍ ବିପୁଳ ଅର୍ଥ ଖର୍ଚ୍ଚ କରିବା ଆଦିର ପରିଣତି ଦଳକୁ ଭୋଗିବାକୁ ପଡ଼ିଛି । ଏସବୁରୁ ଶିକ୍ଷା ନେଇ ଦଳକୁ ସୁଧାରିବା ପରିବର୍ତ୍ତେ ପୁଣିଥରେ ସେହି ପାଣ୍ଡିଆନ ଓ ବବିଙ୍କ ହାତରେ ଦଳକୁ ଟେକି ଦିଆଯାଇଥିବାରୁ ବିଜେଡି ନିଶ୍ଚିତ ପତନ ଓ ବିଭାଜନ ଆଡ଼େ ଅଗ୍ରସର ହେଉଥିବା ରାଜନୀତିକ ମହଲରେ ଆକଳନ କରାଯାଉଛି ।

ଏହି ସବୁ କାରଣ ପାଇଁ ପ୍ରାୟ କୋଟିଏ ସକ୍ରିୟ କର୍ମୀ ଓ ହଜାର ହଜାର ସଂଖ୍ୟକ ଆଗଧାଡ଼ିର ନେତାମାନଙ୍କ କଠିନ ପରିଶ୍ରମ ଯୋଗୁ ରାଜ୍ୟରେ ମହାଦ୍ରୁମ ପାଲଟିଥିବା ବିଜେଡି ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।