ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମୋହନ ମାଝୀ। ତା ପୂର୍ବରୁ ସେ ରାଜଧାନୀରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ସେ ଆଜି ସକାଳେ ଗୋପବନ୍ଧୁ ଛକ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ତାଙ୍କ ସହ ଦୁଇ ଭାବୀ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତି ପରିଡ଼ା ମଧ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ବାଣୀବିହାରରେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା ସରସ୍ବତୀଙ୍କ ଆଶୀର୍ବାଦ ନେଇଛନ୍ତି। ସେ ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି ଓ ଧରଣୀ ଭୂୟାଁ ପ୍ରମୁଖ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
ଶପଥ ନେବା ପୂର୍ବରୁ ସାଧାଣର ଲୋକଙ୍କ ଦୁଃଖ ଶୁଣିଛନ୍ତି ଭାବି ମୁଖ୍ୟମନ୍ତ୍ରୀ।
ରାସ୍ତାରେ ଠିଆ ହୋଇଥିବା କିଛି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି। ଜଣେ ଗରିବ ମହିଳାଙ୍କ ଦୁଃଖ ଶୁଣିଥିଲେ ମୋହନ ମାଝୀ। ଖାଲି ସେତିକି ନୁହେଁ କେତେକ ଅଟୋ ଚାଳକଙ୍କ ସହ ମଧ୍ୟ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ। ଏଣେ ସେ ପରିବହନ ବିଭାଗର ଜଣେ କର୍ମଚରୀଙ୍କ ଅସୁବିଧା ଶୁଣିଥିଲେ।
ସମସ୍ତଙ୍କର ଅସୁବିଧା ଦୂର କରିବା ଲାଗି ବିଜେପି ସରକାର ଚେଷ୍ଟା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗୋଟିଏ ସରକାର ୨୪ ବର୍ଷ ଶାସନ କରିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ଦୂର ହୋଇଯିବା କଥା, ମାତ୍ର ତାହା ହୋଇ ନ ପାରିବା ଦୁର୍ଭାଗ୍ୟଜନକ।
ଏଣେ ସାଧାରଣ ଲୋକେ ଭାବୀ ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର ଓ ମଧୁର କଥାରେ ଖୁସି ପ୍ରକଟ କରିଛନ୍ତି।
ଏହି ନୂଆ ସରକାର ମୋଦିଙ୍କ ଗ୍ୟାରେଣ୍ଟିରେ ଯେଉଁମାନଙ୍କର ଅଧା ପେଟ ପୂରି ରହିଛି, ସେମାନଙ୍କର ପୂରା ପେଟ ପୂରାଇବା ପାଇଁ ନିଶ୍ଚିତ ଭାବେ କାର୍ଯ୍ୟକ୍ରମ କରିବ। ପ୍ରଥମେ ୧୦୦ ଦିନର କାର୍ଯ୍ୟକ୍ରମ ରଖାଯିବ, ଗରିବ ଲୋକଙ୍କ ପାଇଁ କାମ ହେବ ବୋଲି ଭାବି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନୂଆ ସରକାର ଆସିଲେ ଆମ ଦୁଃଖ ଦୂର ହେବ ବୋଲି ଆଶା କରୁଛୁ । ମୋର କାମ ହେଉ କି ନ ହେଉ ତାଙ୍କ ମିଠା କଥାରେ ମୋର ପେଟ ପୂରିଗଲା ବୋଲି କହିଛନ୍ତି ବିଜୟ।
ଆଜି ଶପଥ ଗ୍ରହଣ କରିବେ ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏଣେ ଆଜି ସନ୍ଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେପି ସରକାରର ପ୍ରଥମ କ୍ୟାବିନେଟ ବୈଠକ ବସିବ।
ନବୀନ ନିବାସ ଯିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶପଥଗ୍ରହଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋହନ ମାଝୀ । ସୌଜନ୍ୟମୂଳକ ସାକ୍ଷାତ ପାଇଁ ମୋହନ ମାଝୀ ନବୀନ ନିବାସ ଯିବେ ବୋଲି ସୂଚନା ମିଳିଛି ।