Odia News Portal

ଲୋକସଭା ନିର୍ବାଚନ ଦୃଷ୍ଟିରୁ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ

 ଦିଲ୍ଲୀରେ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ବିଚାର କରାଯିବ । ସୁପ୍ରିମକୋର୍ଟ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏହା କହିଛନ୍ତି ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁଙ୍କୁ କହିଛନ୍ତି, ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ସମୟ ନେଇପାରେ । ତେଣୁ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେବା ନେଇ ତଦନ୍ତକାରୀ ସଂସ୍ଥାର ପକ୍ଷ ଶୁଣିବାକୁ ବିଚାର କରୁଛନ୍ତି।

ରାଜୁ କିନ୍ତୁ କୋର୍ଟଙ୍କୁ କହିଛନ୍ତି – ସେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବାକୁ ବିରୋଧ କରିବେ।

ଖଣ୍ଡପୀଠ କହିଛନ୍ତି, “ଆମେ କହୁଛୁ ଯେ ଆମେ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିବୁ, ଅନ୍ତରୀଣ ଜାମିନ ପ୍ରଦାନ କରିବୁ ନାହିଁ। ଆମେ ଅନ୍ତରୀଣ ଜାମିନ ଦେଇପାରୁ, ନ‌ ଦେଇପାରୁ ମଧ୍ୟ। ”

ସର୍ବୋଚ୍ଚ ଅଦାଲତ ରାଜୁଙ୍କୁ ଆସନ୍ତା ୭ରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଯୁକ୍ତି ପାଇଁ ପ୍ରସ୍ତୁତ ହୋଇ ଆସିବାକୁ କହିଛନ୍ତି।

ଇଡି ଦ୍ୱାରା ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ।

ମାର୍ଚ୍ଚ ୨୧ରେ ଗିରଫ ହେବା ପରଠୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତିହାର ଜେଲରେ ନ୍ୟାୟିକ ହାଜତରେ ରହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୧୫ରେ ଇଡିକୁ ନୋଟିସ ଜାରି କରି କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ରଖିବାକୁ କହିଥିଲେ।

ଏହା ପୂର୍ବରୁ ଏପ୍ରିଲ ୯ରେ ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରି ତାଙ୍କ ଗିରଫଦାରୀକୁ ବୈଧ ବୋଲି କହିଥିଲେ।