Odia News Portal

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ କେସି ବେଣୁଗୋପାଳ ମଙ୍ଗଳବାର ରାତିରେ ହୋଇଥିବା ସିଡବ୍ଲ୍ୟୁସି ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ସଦନରେ ବିରୋଧୀ ନେତା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସେ ଆହୁରି କହିଛନ୍ତି, ସିପିପି ଅଧ୍ୟକ୍ଷ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ପତ୍ର ଲେଖିଛନ୍ତି ଏବଂ ରାହୁଲଙ୍କୁ ଲୋକସଭାରେ ବିରୋଧୀ ନେତା ରୂପେ ନିଯୁକ୍ତ କରିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ରାହୁଲ ଗାନ୍ଧିଙ୍କୁ ସର୍ବସମ୍ମତିକ୍ରମେ ଲୋକସଭାରେ ବିରୋଧୀ ନେତା କରିବାକୁ ଦାବି ଉଠିଥିଲା । ଏଥିରେ କମିଟିର ସଦସ୍ୟମାନେ ନିଷ୍ପତ୍ତି ନେଇଥିଲେ ଯେ ଲୋକସଭାରେ ଦଳର ନେତା ଭାବରେ ରାହୁଲ ଗାନ୍ଧିଙ୍କୁ ନିଯୁକ୍ତ କରାଯିବା ଉଚିତ୍‌ ।

ସେପଟେ ବିରୋଧୀ ନେତା ପାଇଁ ତାଙ୍କ ନାଁର ପ୍ରସ୍ତାବ ପାରିତ ହେବା ପରେ ରାହୁଲ ଗାନ୍ଧି କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟଙ୍କଠାରୁ କିଛି ସମୟ ମାଗିଥିଲେ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଜ ଟିପ୍ପଣୀରେ କହିଛନ୍ତି, ‘ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ଯେ ଭାରତ ଯୋଡୋ ଯାତ୍ରା ଯୁଆଡ଼େ ବି ଯାଇଥିଲା, ଆମେ ସେଠାରେ କଂଗ୍ରେସ ଦଳର ଭୋଟ୍ ପ୍ରତିଶତ ଏବଂ ଆସନ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ପାଇଛୁ’ । ଲୋକସଭା ନିର୍ବାଚନର ଫଳାଫଳ ପରେ ଏହି ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହୋଇଥିଲା ।