Odia News Portal

ରାୟଗଡ଼ାରେ ସ୍ବାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱର୍କର ଶୁଭାରମ୍ଭ

ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ସଂପ୍ରସାରିତ କରିବା ପାଇଁ ୟୁଏସଏଆଇଡି ସମର୍ଥିତ ସମୃଦ୍ଧି  ଏବଂ ଆଇପିଇ ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡୱିଙ୍ଗ ଭଳି ଅଗ୍ରଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ଆଜି ବାରିଝୋଲାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କର ଶୁଭାରମ୍ଭ ହୋଇଯାଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସରକା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ଆଜି ପ୍ରଥମେ ପ୍ରତିଷେଧକ ଟୀକା ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସେବା ଗୁଡ଼ାରି ଓ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇଦିଆଯିବ। ଗୋଟେ ଥରରେ ଏହା ମାଧ୍ୟମରେ ପ୍ରାୟ ଦେଢ଼ କିଲୋ ଓଜନର ଔଷଧ ବା ସ୍ୱାସ୍ଥ୍ୟ ଉପକରଣକୁ ଉପଯୁକ୍ତ ଶୀତଳ ଶୃଙ୍ଖଳ ମାଧ୍ୟମରେ ପରିବହନ କରାଯାଇପାରିବ। ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଡ୍ରୋନ୍ ବ୍ୟବହାର କରି ରାୟାଗଡା ଜିଲ୍ଲାର ବିଚ୍ଛିନ୍ନ ତଥା ଦୁର୍ଗମ ଅଞ୍ଚଳରେ ଔଷଧ ସହିତ ବିଭିନ୍ନ ଚିକିତ୍ସା ଉପକରଣକୁ ଆକାଶମାର୍ଗ ଜରିଆରେ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଜରୁରୀ ଓ ସ୍ୱଳ୍ପ ସମୟରେ ଯୋଗାଯାଇ ପାରିବ।

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଜିଲ୍ଲାର ୩୨୩୪ଟି ଗାଁ ମଧ୍ୟରୁ ପାଖାପଖି ୮୦୦ରୁ ଅଧିକ ଗାଁରେ ପହଞ୍ଚିବା କଷ୍ଟକର ହୋଇଥିବା ବେଳେ ପାଖାପାଖି ୧୬୦ ଟି ଗ୍ରାମ ବିଛିନାଞ୍ଚଳ ଭାବେ ରହିଛି। ଆକାଶମାର୍ଗ ଜରିଆରେ ଔଷଧ ଏବଂ ଚିକିତ୍ସା ଉପକରଣ ବିତରଣ ଦ୍ୱାରା ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅତ୍ୟାବଶ୍ୟକ ନିଦାନ, ଔଷଧ ଏବଂ ଟୀକାକରଣର ଉନ୍ନତି ଆସିବା ଦ୍ୱାରା ଏହି ପଦକ୍ଷେପ ଯୋଗୁଁ ରୋଗର ପରୀକ୍ଷା, ନିରାକରଣ ଏବଂ ଚିକିତ୍ସାରେ ଉନ୍ନତି ଆସିପାରିବ।

\

ଡ୍ରୋନ୍ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସ୍ଵଧାଦେବ ସିଂ କହିଥିଲେ ଯେ ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଓ କଲ୍ୟାଣସିଂପୁର ଭଳି ବ୍ଲକରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି। ଏହି ଅଞ୍ଚଳ ଗୁଡିକରେ ଶକ୍ତି ଓ ଭିତ୍ତିଭୂମି ହେଉଛି ଏକ ଆହ୍ୱାନ। ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବା କ୍ଷେତ୍ରରେ ଡ୍ରୋନ୍ ଦ୍ଵାରା ସ୍ବାସ୍ଥ୍ୟ ସେବା ବିତରଣ ଏକ ପରିବର୍ତ୍ତନକାରି ପଦକ୍ଷେପ। ରୋଗୀମାନେ ଏବେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ତାଙ୍କ ଆବଶ୍ୟକତା ଅନୁଯାୟୀ ଉତ୍କୃଷ୍ଟ ନିଦାନର ସୁବିଧା ପାଇପାରିବେ।ଆମେ ରାୟଗଡ଼ା ଜିଲ୍ଲାର ଲୋକଙ୍କୁ ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ବୋଲି କହିଥିଲେ। ଏହି ଅବସରରେ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଂଚଳରେ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହା ବେଶ ସହାୟକ ହେବ।ଯାହାଦ୍ୱାରା ମହାମାରୀ ସମୟରେ ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ସହଜରେ ଏବଂ ସ୍ୱଳ୍ପ ସମୟରେ ପଠାଯାଇପାରିବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲାପାଳ ସ୍ଵଧା ଦେବ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ଲାଲମୋହନ ରାଉତରାୟ ସମେତ ରେଡଵିଙ୍ଗର ମୁଖ୍ୟ କୁନ୍ଦନ ମେଡିରେଡ଼ି ଏବଂ ୟୁଏସଏଆଇଡିର କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ।