ରାଜଧାନୀରେ କଂଗ୍ରେସ କରିଛି ରଣହୁଙ୍କାର। କଂଗ୍ରେସର ଗର୍ଜନରେ ଉଠୁଛି ପଡୁଛି ରାଜଧାନୀ। କଂଗ୍ରେସର ଆନ୍ଦୋଳନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ବିଧାନସଭା ଆଗରେ ହାଇ ସିକ୍ୟୁରିଟି । ସମସ୍ତ ଗେଟ ବନ୍ଦ କରାଯିବା ସହ ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି ପୋଲିସ ଅଧିକାରୀ । ସବୁ ଗେଟ ଆଗରେ ପୋଲିସ ଛାଉଣୀ । ଆନ୍ଦୋଳନକାରୀଙ୍କୁ ରୋକିବାକୁ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏହାରି ଭିତରେ ପଦଯାତ୍ରାରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି। ଆନ୍ଦୋଳନବେଳେ କଂଗ୍ରେସ ନେତ୍ରୀ ସୋଫଇଆ ଫିର୍ଦ୍ଦୋସ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିବୃତ୍ତିରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ସେ କହୁଛନ୍ତି, ‘କ’ଣ ହେଇଛି, କ’ଣ ଏମିତି ଘଟିଯାଇଛି’? ଆମେ ଏଥିପାଇଁ କହିବାକୁ ଚାହୁଁଛୁ ମୁଖ୍ୟମନ୍ତ୍ରୀ ଖବରକାଗଜ ଦେଖନ୍ତୁ, ଗ୍ରାଉଣ୍ଡକୁ ଯାଆନ୍ତୁ। ସାଧାରଣ ଲୋକ ଆପଣଙ୍କୁ ନିର୍ବାଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ଖାଲି ବସିଗଲେ ହେବନି ଲୋକଙ୍କ ଅସୁବିଧା ବୁଝିବାକୁ ଗ୍ରାଉଣ୍ଡ ଲେଭଲକୁ ଯାଆନ୍ତୁ। ହେଲେ ଆପଣଙ୍କର ଆକ୍ରୋଶମୂଳକ ଭାବନା ରହିଛି। ଏହାର ଜବାବ ମହିଳାମାନେ ହିଁ ଆପଣଙ୍କୁ ଦେବେ। ଆପଣ ମହିଳାଙ୍କୁ ନ୍ୟାୟ ଦେଉନାହାନ୍ତି। ଆପଣ ତାଙ୍କୁ ଠକିଛନ୍ତି। ଚୁପ୍ ହୋଇ ବସିଗଲେ ହେବନି। ଆପଣ ଆମର ସ୍ବର ଚାପିବାକୁ ଚେଷ୍ଟା କରିଛନ୍ତି। ହେଲେ ଆମେ ନିଲମ୍ବିତ ନେତା ଚୁପ୍ ହୋଇ ବସିବୁନି।
ଆମର ଦାବି ହେଉଛି ରାଜ୍ୟରେ ଅପରାଧ କେମିତି କମିବ, ସୁରକ୍ଷା କମିଟି ଗଠନ କରାଯାଉ। ଯାହାଦ୍ୱାରା ମହିଳାଙ୍କୁ ସୁରକ୍ଷା ମିଳିପାରିବ। ସୁଭଦ୍ରା ଯୋଜନାରେ ଯେଉଁ ଠକିଛନ୍ତି, ମହିଳାଙ୍କୁ ଏଥିପାଇଁ ନ୍ୟାୟ ମିଳିବା ଦରକାର। ମହିଳାଙ୍କୁ ପ୍ରତିବର୍ଷ ୫୦ହଜାର ଟଙ୍କା ମିଳିବ କହି ଠକିଦେଇଛନ୍ତି। ସରକାର ଆମ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି । ମହିଳାଙ୍କ ପାଇଁ ସ୍ୱର ଉଠାଇବା ଆମର କର୍ତ୍ତବ୍ୟ । ସରକାର ଭାବୁଛନ୍ତି ମହିଳାଙ୍କୁ ୨୭ ଟଙ୍କା ଦେଇ ପାଟି ଚୁପ୍ କରିଦେବେ । ମହିଳାଙ୍କ ପାଇଁ କିଛି କରିନି ଏ ସରକାର। ମହିଳା ସଶକ୍ତ ହେଲେ ହିଁ ସମାଜକୁ ସଠିକ୍ ଭାବେ ଗଢିପାରିବ। ସରକାର ଚାହିଁଲେ ଆମର ସ୍ବର ଚାପିବାକୁ ହେଲେ ସେମାନେ ଚାପି ପାରିଲେ ନାହିଁ। ହଜାର ହଜାର କର୍ମୀଙ୍କ ବିଶାଳ ସମୁଦ୍ର ମାଡିଆସିଛୁ। କଂଗ୍ରେସ ଆଗକୁ ଆହୁରି ସଶକ୍ତ ହେବ।
ତେବେ କଂଗ୍ରେସର ପଦଯାତ୍ରା ମଧ୍ୟରେ ପିସିସି ସଭାପତି ଭକ୍ତ ଦାସ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଆସିବେ। ଏହି ମହାସଂଗ୍ରାମ ଆହୁରି ବଡ଼ ହେବ। ଏହାରି ଭିତରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି, ଗୁରୁବାର ଆମେ ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବୁ। ହେଲେ ଝାରସୁଗୁଡ଼ା ଥାନାରେ ଯୁବ କଂଗ୍ରେସ ସଭାପତିଙ୍କୁ ଅଟକାଯାଇଥିବା ନେଇ ଖବର ମିଳୁଛି। ପ୍ରଶାସନ ଓ ପୋଲିସ ସେ ଭୁଲ କରନ୍ତୁନାହିଁ। ଆପଣ ଶୃଙ୍ଖଳା ରକ୍ଷାକରନ୍ତୁ। ଆମକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଦିଅନ୍ତୁ। ଯଦି ପୋଲିସ ଏଭଳି ବାତାବରଣ ସୃଷ୍ଟିକରେ ତେବେ ବିଭିନ୍ନ ସ୍ଥାନରେ ବିଦ୍ରୋହ ଦେଖାଦେଇପାରେ। ଯେଉଁଠାରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକାଉଛି କିମ୍ବା ହଇରାଣ ହରକତ କରୁଛି ସେଠାରେ କର୍ମୀମାନେ ହିଂସାର ପଥ ନ ଆପଣାଇ ସବୁ ଝଡ଼ଝଞ୍ଜା ସହି ତୁରନ୍ତ ସୂଚନା ଆମପାଖକୁ ପଠାନ୍ତୁ। ଆପଣମାନେ ସଂଘବଦ୍ଧ ଭାବେ ଏହି ଅନ୍ୟାୟର ମୁକାବିଲା କରିବେ। ଆଗକୁ ଅନେକ ପଥ ଯିବାର ରହିଛି, ଇଏତ ନାମକୁମାତ୍ର ବୋଲି ଭକ୍ତ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରି କହିଛନ୍ତି।