ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଦୃଷ୍ଟିବାଧିତ ମାଆ କୋଳରୁ ଛୁଆ ଚୋରି ଘଟଣାକୁ ୨୪ ଘଣ୍ଟା ଟପିଲାଣି । ହେଲେ କମିସନରେଟ ପୋଲିସର ହାତ ଏବେ ବି ଖାଲି । ପୋଲିସ ଅପହୃତ ଛୁଆକୁ ଉଦ୍ଧାର କରିବା ତ ଦୂରର କଥା,ଛୁଆକୁ ମାଆ କୋଳରୁ ଚୋରି କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିପାରି ନାହିଁ । ଏହାରି ଭିତରେ ଶିଶୁ ପୁତ୍ରର ଫଟୋ ସାମ୍ନାକୁ ଆସିଛି । ଅନ୍ୟପଟେ ଦେଢ ବର୍ଷର ଶିଶୁ ପୁତ୍ରକୁ ଝୁରି ହେଉଛି ଅସହାୟ ଦୃଷ୍ଟିବାଧିତ ମାଆ । ଛୁଆକୁ ଫେରାଇ ଆଣିବାକୁ କ୍ୟାମେରା ଆଗରେ ହାତଯୋଡି ଗୁହାରି ହେଉଛି ମାଆ । କାନ୍ଦି କାନ୍ଦି ପୋଲିସ, ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରୁଛି ତା ଛୁଆକୁ ତା କୋଳକୁ ଫେରାଇ ଦିଆଯାଉ ।
ଦେଢ଼ ବର୍ଷର ଛୁଆକୁ କେଉଁ ଦୁର୍ବୁତ୍ତ କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ରଖି ଛଡ଼ାଇ ନେଇଗଲା ସେନେଇ ପ୍ରଶ୍ନ କରିଛନ୍ତି ଅସହାୟ ମାଆ ଜଣକ । ରାମ ମନ୍ଦିର ଆଗରେ ବସି ରହି, ପ୍ରଭୁ ରାମଙ୍କ ଉପରେ ସବୁ ଭରସା ଓ ବିଶ୍ୱାସ ରହିଛି ବୋଲି କୋହଭରା କଣ୍ଠରେ କାନ୍ଦି କାନ୍ଦି କହିଛନ୍ତି । ଯେ କେହିବି ମୋ ଛୁଆକୁ ନେଇଛନ୍ତି, ତାକୁ ମୋ ପାଖରେ ଛାଡି ଦିଅନ୍ତୁ ବୋଲି କାନ୍ଦି କାନ୍ଦି କହିଛନ୍ତି ମହିଳା ଜଣକ । ଅନ୍ୟପଟେ ଡିସିପି କହିଛନ୍ତି, ପିଲାକୁ ଖୋଜୁଛି ହ୍ୟୁମାନ ଓ ଟେକ୍ନିକାଲ୍ ଇଣ୍ଟେଲିଜେନ୍ସ ଟିମ୍ । ରାଜ୍ୟ ବାହାରକୁ ଯାଇ ବି ତନାଘନା ଚଳାଇଛି ପୁଲିସ ଟିମ୍ । ଖୁବଶୀଘ୍ର ପିଲାକୁ ଖୋଜି ଆଣିବାକୁ ପୁଲିସ ଚେଷ୍ଟା ଚଳାଇଥିବା ଡିସିପି କହିଥିଲାବେଳେ କେହି ପିଲାର ସନ୍ଧାନ ପାଇଲେ ପୁଲିସକୁ ଜଣାଇବାକୁ କହିଛନ୍ତି ଭୁବନେଶ୍ବର ଡିସିପି ।