ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ଏ ନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ସାଧାରଣ ଦିନରେ ସାଢ଼େ ୫ଟା ଯାଏଁ ଖୋଲା ରହେ ରାଜ୍ୟ ସଂଗ୍ରହାଳୟ ।
ଆସନ୍ତା ୮ରୁ ୧୦ ତାରିଖ ଯାଏଁ ରାଜଧାନୀରେ ପ୍ରବାସୀ ମହାକୁମ୍ଭ ପାଇଁ ମହା ଆୟୋଜନ । ଭୁବନେଶ୍ବର ଜନତା ମଇଦାନରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିପାଇଁ ଓଡ଼ିଶାରେ ପହଞ୍ଚିବାକୁ ଲାଗିଲେଣି ପ୍ରବାସୀ ଭାରତୀୟମାନେ । ଏହି ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।
ସେହିଭଳି ୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ପ୍ରବାସୀ ଭାରତୀୟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ହୋଇଛି ବ୍ୟାପକ ଆୟୋଜନ । ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ୩୧ଟି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ପ୍ରବାସୀ ଭାରତୀୟ । ସେମାନଙ୍କୁ ପର୍ଯ୍ୟଟନସ୍ଥଳୀ ବିଷୟରେ ହିନ୍ଦି, ଇଂରାଜୀ ଓ ଓଡ଼ିଆ ଭାଷାର ବୁଝାଇବାକୁ ନିୟୋଜିତ ହୋଇଛନ୍ତି ଗାଇଡ୍ । ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କ ପାଇଁ ହୋଇଛି ହୋମ୍ ଷ୍ଟେ’ ବ୍ୟବସ୍ଥା । ଓଡ଼ିଆଙ୍କ ଘରେ ରହିବେ ଅତିଥି । ଏଥିପାଇଁ ୨୮୦ ରେଜିଷ୍ଟ୍ରେସନ ହୋଇଛି । ହୋମ୍ ଷ୍ଟେ’ ପାଇଁ ଯେଉଁମାନେ ରେଜିଷ୍ଟ୍ରେସନ କହିଛନ୍ତି ସେହି ଘର ମାଲିକ ଓ ପ୍ରବାସୀଙ୍କ ମଧ୍ୟରେ ମିଡିଲ ମ୍ୟାନ୍ ଭାବେ କାମ କରିବ ପର୍ଯ୍ୟଟନ ବିଭାଗ । ପରିବାର ଭିତରେ ରହୁଥିବାରୁ ଅତିଥିମାନେ ଶତ ପ୍ରତିଶତ ସୁରକ୍ଷିତ ରହିବେ । ପ୍ରବାସୀଙ୍କ ପାଇଁ ଭୁବନେଶ୍ବର ଓ ପୁରୀରେ ବିଭିନ୍ନ ପ୍ରକାର ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ପ୍ରବାସୀ ଭାରତୀୟ ସମ୍ମିଳନୀ ଅବସରରେ ଓଡ଼ିଶା ଲଳିତକଳା ଏକାଡେମୀ ପରିସରରେ ଖୋଲିଛି ଆର୍ଟ ଗ୍ୟାଲେରି । ନ୍ୟାସନାଲ ଗ୍ୟାଲେରୀ ଅଫ୍ ମର୍ଡନ ଆର୍ଟ ଏବଂ ଲଳିତ କଳା ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଆର୍ଟ ଗ୍ୟାଲେରୀ । ଏଥିରେ ଦେଶର ସୁନାମଧନ୍ୟ ଚିତ୍ରକରଙ୍କ ଚିତ୍ରକଳା ପ୍ରଦର୍ଶନ ହୋଇଛି ।
ପ୍ରବାସୀ ଭାରତୀୟଙ୍କ ରହଣି ସ୍ଥାନ, ଟ୍ରାଫିକ୍ ପରିଚାଳନା, କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉପଯୁକ୍ତ ଯୋଜନା ଓ କୌଶଳ ଆଦି ସମ୍ପର୍କରେ ନଜର ରଖିବାକୁ ଭୁବନେଶ୍ବରରେ ଖୋଲିଛି ପିବିଡି ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର । ଏହାକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ଓ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଇଛି । ଯେକୌଣସି ସହାୟତା ପାଇଁ ପ୍ରବାସୀମାନେ ୧୯୨୯କୁ ଫୋନ୍ କରିପାରିବେ । ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ସ୍ବାସ୍ଥ୍ୟ, ପର୍ଯ୍ୟଟନ, ବିଏସଏନଏଲ୍, ପୋଲିସ, ଫାୟାର ସର୍ଭିସ୍, ପରିବହନ, ବିଏମସି, ବିଡିଏର ଅଧିକାରୀ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ମନିଟରିଂ କରିବେ ।