ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି ।
ବଜେଟର ପ୍ରଥମ ଭାଗରେ ସେ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ । କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ।
କୃଷି ଓ କୃଷକଙ୍କ ସଶକ୍ତୀକରଣ ପାଇଁ ମୋଟ ୧୪୭୦୧ କୋଟି ଟଙ୍କାର ବ୍ଯୟ ବରାଦ କରାଯାଇଛି । ସମୃଦ୍ଧ କୃଷକ ଯୋଜନାରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ଅଧିକ ଅର୍ଥ ଇନପୁଟ ସହାୟତା ଆକାରରେ ପ୍ରଦାନ କରାଯାଉଛି ଫଳରେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛି ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ଖରିପ ଋତୁରେ ଫେବ୍ରୁଆରି ୧୫ ସୁଦ୍ଧା ମୋଟ ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ ୬ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ । ସିଏମ କିଶାନ ଲାଗି ୨୦୨୫-୨୫ ଆର୍ଥିକ ବର୍ଷରେ ମୋଟ ୨୦୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୧.୮୦ ଲକ୍ଷଙ୍କ କୃଷକଙ୍କୁ ଆଳୁ ମିସନରେ ସାମିଲ କରାଯାଇଛି । ଏହି ମିସନରେ ଚଳିତ ରବି ଋତୁରେ ମୋଟ ୧ ଲକ୍ଷ ୬୦ ହଜାର କ୍ବିଣ୍ଟାଲ ବିହନ ଯୋଗାଇଦିଆଯାଇଛି । ଫସଲ ବିବିଧତା ପାଇଁ ୬୯୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ଉପସ୍ଥାପନ ହୋଇପାରିବ।