ମାଡି ଆସିଲା କଳାହାଣ୍ଡିଆ ମେଘ । ଦିନ ସୃଷ୍ଟି କଲା ସନ୍ଧ୍ୟାର ଭ୍ରମ । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ହାଲୁକା ବର୍ଷା । ପବନ ବହିବା ସହ ହେଉଛି ବର୍ଷା । କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨ ଘଣ୍ଟା ପାଇଁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।
କଟକ ଓ ଢେଙ୍କାନାଳ ଜିଲ୍ଲାକୁ ସତର୍କତା କରାଇଛନ୍ତି ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳରେ ପବନ ଓ ବର୍ଷା ଜାରି ରହିଛି । ଗତକାଲି ମଧ୍ୟ ରାତିରୁ ବର୍ଷା ପବନ ଜାରି ରହିଛି । ତୁହାକୁ ତୁହା ବର୍ଷା ପବନ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଜୁଳି ଘଡଘଡି ସହ ବର୍ଷା ପବନ ହେଉଛି । ଗତକାଲି ରାତିରୁ ବର୍ଷା ପବନ ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଛି l
ସେପଟେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ପାଣିପାଗ ବିଭାଗ । କେତେକ ସ୍ଥଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । କିଛି ଦିନ ହେଲା ଅସହ୍ୟ ଗରମ ଲାଗି ରହିଥିବା ବେଳେ କାଳବୈଶାଖୀ ବର୍ଷା ଗରମରୁ ଆଶ୍ବସ୍ତି ଆଣିବ । ଏଥିସହ ରାଜ୍ୟରେ ଆହୁରି ୩ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ ।
୨୨ ତାରିଖ ଯାଏଁ ବର୍ଷାର ସତର୍କତା ରହିଥିବା ବେଳେ ୨୩ ବେଳକୁ ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ପାଣିପାଗ ବିଭାଗ । ତେବେ ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ ରେଖା ସକ୍ରିୟ ରହିଛି । ଫଳରେ ବର୍ଷା ହେଉଛି । ଆଗାମୀ ତିନିଦିନ ହାଲକାରୁ ମଧ୍ୟମ ଧରଣର ବର୍ଷା ଅଧିକାଂଶ ସ୍ଥାନରେ ହେବାକୁ ଥିବା ବେଳେ ୨ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ବିଭାଗ ଆକଳନ କରିଛି , ଅର୍ଥାତ ପୁଣି ରାଜ୍ୟରେ ଅସହ୍ୟ ତାତିର ଅନୁଭବ ହେବ ।